ମହାପ୍ରଭୁଙ୍କ ଲାଗି ଖୋଲାଯିବ ଡିଜିଟାଲ ହୁଣ୍ଡି: UPI ଜରିଆରେ ଅନ୍ଲାଇନ ଦାନ
ପୁରୀ ଜଗନ୍ନାଥ ମନ୍ଦିରର ଦାନ ପ୍ରକ୍ରିୟାକୁ ଆଧୁନିକୀକରଣ କରାଯିବ । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।
ଯାହାକି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଉତ୍ସାହଜନକ ସମର୍ଥନ ମିଳିଛି । ସମର୍ପଣ କାର୍ଯ୍ୟକ୍ରମରେ ଅନ୍ଲାଇନ ଦାନ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଭକ୍ତମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ ।
ଏହି କାର୍ଯ୍ୟକ୍ରମ ଅଧୀନରେ, ରାଜ୍ୟ ଭିତରେ ଓ ବାହାରେ ଥିବା ବ୍ୟାଙ୍କଗୁଡ଼ିକରେ ପୃଥକ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ। ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(UPI) ମାଧ୍ୟମରେ ଅନ୍ଲାଇନ ଦାନ କରାଯାଇପାରିବ ।

ବିଭିନ୍ନ ବ୍ୟାଙ୍କର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(CMD)ଙ୍କ ସହ ଡିଜିଟାଲ ହୁଣ୍ଡି ଆରମ୍ଭ କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଭକ୍ତମାନେ UPI କୋଡ ସ୍କାନ କରି ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାରଙ୍କ ଦୀର୍ଘମିଆଦୀ ଯୋଜନା ରହିଛି। ଭାରତର ସମସ୍ତ ବ୍ୟାଙ୍କ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ। ଭକ୍ତମାନେ ମହାପ୍ରଭୁଙ୍କୁ ଦାନ ଦେବାକୁ ଚାହାଁନ୍ତି, ସେମାନେ ଡିଜିଟାଲ ମାଧ୍ୟମରେ ଏହା କରିପାରିବେ। ବିଭିନ୍ନ ବ୍ୟାଙ୍କର CMDଙ୍କ ସହ ଏନେଇ ଆଲୋଚନା କରାଯାଇଛି। ଏହି ସମ୍ପର୍କରେ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications