ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଡାଇରିଆ: ଗଲାଣି ୭ ଜୀବନ, ଲୋକେ ଭୟଭୀତ
ସ୍ମାର୍ଟସିଟି ରାଉରକେଲାରେ ଡାଇରିଆ ଆତଙ୍କ । ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ । ଅଣାୟତ୍ତ ହେଉଛି ଡାଇରିଆ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ଜୀବନ ଯାଇଛି ।
ରାଉରକେଲା ମହାନଗର ନିଗମ୍ ପକ୍ଷରୁ ୧୨ଟି ସ୍ବାସ୍ଥ୍ୟଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ୍ ଟିମ୍ ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରୁଛନ୍ତି ଓ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ରାଉରକେଲା ବିଶ୍ରାଡ଼ାହାର ରୋଡ୍ର ହୋଟେଲ ମାଲିକ ପ୍ରବଣ କୁମାର ସ୍ବାଇଁ (୫୦), ଗାନ୍ଧିରୋଡ଼ର ଅତୁଲ କିସାନ (୭୦), ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ମହମ୍ମଦ (୪୨) । ଏମାନଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଏହା ସହିତ ବିଭିନ୍ନ ଡାକ୍ତରଖାନାରେ ୩୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଖାପାଖି ୩୧୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ରାଜ୍ୟ ଆଇଡିଏସ୍ପିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ ପାଇକରାୟଙ୍କ ସହ ଡାକ୍ତର ସୁରଜିତ ଗରାବଡ଼ୁ ଆର୍ଜିଏଚ୍ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସାଗର ଦଳାଇ, ଡାକ୍ତର ସମ୍ ଶୁଭଙ୍କର, ସୁନ୍ଦରଗଡ଼ ମେଡିକାଲ କଲେଜର ଡାକ୍ତର ନଳିନୀକାନ୍ତ ତ୍ରିପାଠୀ, ଡାକ୍ତର ଆଶିଷ କୁମାର ବିଶ୍ବାଳ, ଡାକ୍ତର ବିବେକାନନ୍ଦ ସିଂହ, ଡାକ୍ତର ରଞ୍ଜନ କୁମାର ସାମଲ ମଧ୍ୟ ଆର୍ଜିଏଚ୍ରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଥିଲେ । ତେବେ କେମିତି ଡାଇରିଆ ବ୍ୟାପିଲା ? ତାହା ଏବେ ପ୍ରଶ୍ନବାଚୀ।
ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ନେତୃତ୍ବରେ ଗଠିତ ଟିମ୍ ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଖାଦ୍ୟ କିମ୍ବା ପାଣିରୁ ବ୍ୟାପୁଛି କି ନାହିଁ ସ୍ପଷ୍ଟ ହୋଇନି । ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି । ସମସ୍ତ ଘରୋଇ ହସ୍ପିଟାଲକୁ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି।
ରୋଗୀଙ୍କ ସମ୍ପର୍କୀୟ କହିବା କଥା ସହରର ସପ୍ଲାଇ ପାଣି ପିଇବା ପରେ ଝାଡ଼ା ଓ ବାନ୍ତି ହେବା ସହ ପେଟ ମୋଡ଼ା, ପେଟ ଜଳା ହେଉଛି । ଆଉ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସହରରେ ଏଭଳି ରୋଗକୁ ନେଇ ଆତଙ୍କ ସୃଷ୍ଟି ହୋଇଛି ।
ଅଙ୍ଗନବାଡ଼ି, ଆଶା କର୍ମୀ ମାନଙ୍କୁ ଲୋକଙ୍କୁ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସିଡିଏମଓ । ସଂକ୍ରମଣ କ୍ଷେତ୍ରକୁ ରାପିଡ ରେସପନ୍ସ ଟିମ୍ ପଠାଇବାକୁ କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ବି ଦେଇଛି । ତେବେ କେଉଁ କାରଣରୁ ହଠାତ ଏଭଳି ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନି ।












Click it and Unblock the Notifications