ଡରାଉଛି ଡାଇରିଆ; ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ
ରାଜ୍ୟର 9ଟି ଜିଲ୍ଲାରେ ଡ଼ାଇରିଆ ବ୍ୟାପିଲାଣି । ସମସ୍ତ ଜିଲ୍ଲାକୁ ସତର୍କତା ମୁଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛନ୍ତି ।
ପୂର୍ବରୁ ମଧ୍ୟ ବ୍ୟାପିଛି ଅନେକ ଜଳବାହିତ ରୋଗ:
ସମ୍ବଲପୁର ଜିଲ୍ଲାରେ ବିଗତ ବର୍ଷ ଗୁଡିକରେ ଅନେକ ଜଳବାହିତ ରୋଗ ବ୍ୟାପିବାର ରେକର୍ଡ ରହିଛି l 2014-15 ମସିହାରେ ସମ୍ବଲପୁରରେ ଜଣ୍ଡିସ ରୋଗ ବ୍ୟାପିଥିଲା । ସେତେବେଳେ ଏଥିରେ ପ୍ରାୟ 10 ହଜାର ଲୋକ ଆକ୍ରାନ୍ତ ହୋଇଥିଲେ l ଅନ୍ୟପଟେ ଗତ ବର୍ଷ ହୀରାକୁଦ ସହରରେ ଡ଼ାଇରିଆ ରୋଗ ବ୍ୟାପିଥିଲା l କାରଣ ସମ୍ବଲପୁର ସହରରେ ପାନୀୟ ଜଳ ଯୋଗାଣ ପାଇପ ସବୁ ବହୁ ପୁରୁଣା ହୋଇ ପଡିଥିବା ବେଳେ କେତେକ ସ୍ଥାନରେ ଏହା ନାଳର ଅଳିଆ ଆବର୍ଜନା ଭିତରେ ବୁଡିକି ରହିଛି l ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାଇରିଆ ପାଇଁ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି l

ତୃଣମୂଳ ସ୍ତରରୁ ସ୍ଥିତି ଅନୁଧ୍ୟାନ ଜାରି:
ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କହିଛନ୍ତି, "ଆମେ ସତର୍କ ଅଛୁ l ସହରରେ ଯେଉଁ ସବୁ ଉତ୍ସରୁ ପାନୀୟ ଜଳ ଯୋଗାଣ ହେଉଛି ଯେପରିକି ୱାଟକୋ, PHD ଓ RWSSର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଆଲୋଚନା କରିଛୁ l ଆମର ଟିମ ତୃଣମୂଳ ସ୍ତରରୁ ସ୍ଥିତି ଅବଲୋକନ କରୁଛନ୍ତି l ଲୋକେ କିପରି ବିଶୋଧିତ ଓ ସୁରକ୍ଷିତ ପିଇବା ପାଣି ପାଇବେ ସେନେଇ ଧ୍ୟାନ ଦେଉଛୁ l ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି l ଏହା ସହ ଆମର ଟିମ ମାନଙ୍କୁ ସୂଚନା ଦିଆ ଯାଇଛି ଯେକୌଣସି ସ୍ଥାନରେ ଗୋଟିଏ ବି ଡ଼ାଇରିଆ ରୋଗୀ ଚିହ୍ନଟ ହେଲେ ସାଙ୍ଗେ ସାଙ୍ଗେ ଖବର ଦେବାକୁ l ଏହା ପରେ ଆମର ଟିମ ସେହି ସ୍ଥାନରେ ପହଞ୍ଚି ଏହାକୁ ରୋକିବାକୁ ପଦକ୍ଷେପ ନେଇ ପାରିବ l"
ସ୍ୱାସ୍ଥ୍ୟ ବିଭାଗର ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ:
ଏହା ସହ ଜିଲ୍ଲାପାଳ ଶ୍ରୀ ବୋନ୍ଦର ଆହୁରି କହିଛନ୍ତି ଯେ, 'ଆମର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଟିମ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି ଓ ସ୍ଥିତି ଉପରେ ନଜର ରଖିଛି l ଏପରିକି ଜିଲ୍ଲା ସ୍ତରରେ, CDMPHO କାର୍ଯ୍ୟାଳୟରେ ଓ SMC ଅଫିସରେ ମଧ୍ୟ ଗୋଟିଏ ଲେଖାଏଁ ଡ଼ାଇରିଆ କଣ୍ଟ୍ରୋଲ ରୁମ ଖୋଲା ସାରିଛି l ଏହା ସହ ରାସ୍ତା କଡ଼ରେ ଥିବା ହୋଟେଲ ଓ ଉଠା ଦୋକାନୀ ମାନେ କେଉଁ ଜଳ ବ୍ୟବହାର କରୁଛନ୍ତି ତାହା ପରକ୍ଷିବା ପାଇଁ ଚଢ଼ାଉ ଜାରି ରହିଛି l ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ଭୀମସାର ମେଡିକାଲକୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି l'












Click it and Unblock the Notifications