ରାଜ୍ୟରେ କାୟା ବିସ୍ତାର କରୁଛି ଝାଡାବାନ୍ତି ;ଗୋଟାଏ ପରେ ଗୋଟାଏ ଜିଲ୍ଲାରେ ସ୍ଥିତି ହେଉଛି ଜଟିଳ, ଏବେ ଧାମନଗରରେ
ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି। ଯାଜପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ଡାଇରିଆ ରେ ରୋଗୀ ଆକ୍ରାନ୍ତ। 6 ଟି ଜିଲ୍ଲାକୁ ଏହି ଝାଡ଼ାବାନ୍ତି ମାଡିଯାଇଥିବା ବେଳେ ଯାଜପୁରରେ ସବୁଠୁ ଅଧିକ ପ୍ରଭାବିତ। ଝାଡ଼ାବାନ୍ତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ ପକ୍ଷରୁ ଭଦ୍ରକର ହୋଟେଲ, ଜଳଖିଆ ଦୋକାନରେ ଚଢ଼ାଉ ହୋଇଛି।

ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି । ଦୁଇ ଦିନରେ ୬୦ ଜଣ ଆକ୍ରାନ୍ତ ହସ୍ପିଟାଲ୍ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି।
ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାଜପୁର ଜିଲ୍ଲାରେ ଗତକାଲି ଝାଡ଼ାବାନ୍ତିରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଜିଲ୍ଲାରେ ୧୧ ହଇଜା ରୋଗୀ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ଆହୁରି ୨ଶହ ସାମ୍ପୁଲ ପରୀକ୍ଷା ପାଇଁ ଯାଇଛି।
ଅନ୍ୟପଟେ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଜିଲ୍ଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍ରେ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ପଦକ୍ଷେପ ନିଆଯାଇଛି। ଅନ୍ୟାଦେଶ ଆସିବା ପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ପଡ଼ୋଶୀ ଜିଲ୍ଲାକୁ ଯେପରି ଝାଡ଼ାବାନ୍ତି ନବ୍ୟାପିବ ଏଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।












Click it and Unblock the Notifications