'ଧଉଳି ଗଣନାଟ୍ୟ' ଟ୍ରକ୍ ଦୁର୍ଘଟଣା ମାମଲା: ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: 'ଧଉଳି ଗଣନାଟ୍ୟ' ଯାତ୍ରା ପାର୍ଟି ଟ୍ରକ ଓଲଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏହା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସମସ୍ତ ଗୁରୁତର ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁସାରେ, ଆଜି ବାରିପଦା ଘାଟିରେ ଓଲଟିଲା 'ଧଉଳି ଗଣନାଟ୍ୟ' ଟ୍ରକ୍ । ଦୁର୍ଘଟଣାରେ ୬ ଜଣ ମୃତ, ୧୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ୧୨ ଜଣଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି । ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି ।
ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ବର ଅଭିମୁଖେ ଯାଉଥିଲା । ଗାଡ଼ିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।












Click it and Unblock the Notifications