ଓଡ଼ିଶାର ୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ ପିଏମ ଶ୍ରୀ ସ୍କୁଲର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 Odisha

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ । ଆଜି ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ - ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ।

ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ । ସ୍କୁଲ ଗୁଡିକୁ ପ୍ରତିଯୋଗିତା ଆଧାରରେ ରାଜ୍ୟମାନେ କେନ୍ଦ୍ରକୁ ନାଁ ପଠାଇବାର ଆବଶ୍ୟକତା ଅଛି । ମାତ୍ର ଓଡ଼ିଶା ସରକାର ପିଏମ ଶ୍ରୀ ପାଇଁ ଏମଓୟୁ କରିନାହାନ୍ତି । ଏଥିପାଇଁ ଗତ ୧ ବର୍ଷ ମଧ୍ୟରେ ୩ ଥର ବ୍ୟକ୍ତିଗତ ଭାବରେ ଚିଠି ଲେଖାଯାଇଛି । କୌଣସି ନା କୌଣସି କାରଣରୁ ଓଡ଼ିଶା ଏହି ଯୋଜନା ଲାଗୁ କରୁନାହାନ୍ତି । ଗୋଟିଏ ଦୁଇଟି ରାଜ୍ୟ ରାଜନୈତିକ ଉଦ୍ଦେଶ୍ୟ ରଖି ପିଏମ ଶ୍ରୀ ଯୋଜନା ଲାଗୁ କରୁନାହାନ୍ତି । ସେ ରାଜ୍ୟ ଗୁଡ଼ିକ ଭଳି ଓଡ଼ିଶା ସରକାରଙ୍କର ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବ ବୋଲି ଭାବୁଛି ।

ଏହି ମର୍ମରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ସରକାରୀ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା ପିଏମ ଶ୍ରୀ ଯୋଜନାକୁ ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଶ୍ରୀ ଯୋଜନା ଓଡ଼ିଶା ସରକାର ଲାଗୁ କଲେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବ । ଗୋଟିଏ ସ୍କୁଲରେ ୨ କୋଟି ଟଙ୍କାର ଅନୁଦାନର ଦାୟିତ୍ଵ ନେବେ କେନ୍ଦ୍ର ସରକାର । ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସର୍ବମୋଟ ୬୨, ୨୯୧ ସ୍କୁଲ ଥିବା ବେଳେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୭୬ ଲକ୍ଷ । ସରକାରୀ ସ୍କୁଲ ୪୯,୦୭୨ଟି ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୫୩ ଲକ୍ଷ । ଉଚ୍ଚ ଶିକ୍ଷାରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୧୧ ଲକ୍ଷ । ସାମଗ୍ରିକ ଭାବେ ଓଡିଆ ପିଲା ମାନଙ୍କୁ ବୈଶ୍ୱିକ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ କରାଇବାକୁ ହେବ । ଓଡିଶାରୁ ବିଶ୍ୱକୁ ବିଜୟ କଲା ଭଳି ପିଲା ତିଆରି ହେବେ । ଏଥିରେ ବାଛ ବିଚାର ଏବଂ ଭେଦଭାବ ନ ହେବା ଉଚିତ । ମୁଖ୍ୟମନ୍ତ୍ରୀ ଏହା ଉପରେ ସହୃଦୟ ସହ ବିଚାର କରନ୍ତୁ । ରାଜନୀତି ତା ବାଟରେ ଥାଇପାରେ । ପ୍ରତିଯୋଗିତା ତା' ବାଟରେ ଥାଇପାରେ । କିନ୍ତୁ ୧ କୋଟି ଓଡ଼ିଆ ପିଲା ମାନଙ୍କୁ ତାଙ୍କ ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ଏଥିପ୍ରତି ଯତ୍ନବାନ ହେବେ ବୋଲି ବିଶ୍ୱାସ ।

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+