Dev Snana Purnima: ସ୍ନାନ ବେଦୀକୁ ବିଜେ କଲେ ଶ୍ରୀବଳଭଦ୍ର
ସ୍ନାନ ବେଦୀକୁ ବିଜେ କଲେ ଶ୍ରୀବଳଭଦ୍ର । ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ସେ ମଣିଷ ପରି ଖାଆନ୍ତି, ମଣିଷ ପରି ଶୁଅନ୍ତି ଆଉ ମଣିଷ ପରି ସ୍ନାନ ମଧ୍ୟ କରନ୍ତି। ଏସବୁକୁ ନେଇ ପାଳନ ହୁଏ ଅନେକ ପର୍ବ। ସେ ଭିତରେ ସ୍ନାନ ପୂର୍ଣ୍ଣିମା ଅନ୍ୟତମ।
ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିବା ବା ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ।
ଅଭିମନ୍ତ୍ରିତ ଜଳରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀଓ ଲୋଧା ମିଶ୍ରଣ କରାଯାଏ । ଏହି ମହୌଷଧି ମିଶ୍ରଣ ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହ୍ମଙ୍କୁ ସ୍ନାନ କରାଯାଏ। ଏହି ଜଳରୁ ୩୫ ଗରାରେ ଜଗନ୍ନାଥଙ୍କୁ, ୩୩ ଗରାରେ ବଳଭଦ୍ରଙ୍କୁ, ୨୨ ଗରାରେ ସୁଭଦ୍ରାଙ୍କୁ ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି। ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ।

ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ। ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ। ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ।
ସମସ୍ତ ସ୍ନାନ ଉପଚାର ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା'ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି।












Click it and Unblock the Notifications