Dev Snana Purnima 2025: ଭକ୍ତିମୟ ଶ୍ରୀକ୍ଷେତ୍ର; ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଜିଉଙ୍କ ଦିବ୍ୟସ୍ନାନ, ହାତୀବେଶ ଦର୍ଶନରେ ଭିଜିବ ଭକ୍ତଙ୍କ ତନମନ।
ମଙ୍ଗଳାର୍ପଣ,ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।
ଦିନ୧୨ଟା ୨୦ରୁ ଗୋଟାଏ ୪୫ ଭିତରେ ଜଳବିଜେ, ପୂଜା ଓ ସ୍ନାନ ନୀତି ହେବ। 108 କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। 3ଟା ୩୦ରେ ଛେରା ପହଁରା ହୋଇ 4ଟା 30 ମଧ୍ୟରେ ସଂପନ୍ନ ହେବ ଶ୍ରୀଜିଉଙ୍କ ହାତୀବେଶ। ଏହାପରେ ମହନ୍ତଶାଢ଼ି ବନ୍ଧା, ଦକ୍ଷିଣୀଘର ଭୋଗ ସରି ସଂଧ୍ୟା ସାଢ଼େ 7ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ 10ଟା ପର୍ଯ୍ୟନ୍ତ ଚାଲିବ।

ବର୍ଷକ ପରେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ଏବେଠୁ ବ୍ୟାକୁଳ ହେଲାଣି ଭକ୍ତପ୍ରାଣ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୪୫୦ ଅଫିସରଙ୍କ ସହ ୭୦ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି।
ସେହିପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ରୁଫଟପ୍ ଗାର୍ଡ, ଆଣ୍ଟି ଟେରରିଷ୍ଟ ସ୍କ୍ବା଼ଡ୍, ଷ୍ଟ୍ରାଇକିଂ ଫୋର୍ସ ପ୍ରସ୍ତୁତ ରହିବା ସହ ସହରର ତିନିଟି ପ୍ରବେଶ ପଥରେ ମଧ୍ୟ କଡ଼ା ନଜର ରଖାଯାଇଛି।












Click it and Unblock the Notifications