ସମସ୍ତେ ଚେଷ୍ଟା କରିବା ସତ୍ତ୍ୱେ ବି ଆମ ଝିଅଟିକୁ ବଞ୍ଚେଇପାରିଲେନି: ଉପମୁଖ୍ୟମନ୍ତ୍ରୀ
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
ସମସ୍ତେ ଚେଷ୍ଟା କରିବା ସତ୍ତ୍ୱେ ବି ଆମ ଝିଅଟିକୁ ବଞ୍ଚେଇପାରିଲେନି। ଏହା ଅତ୍ୟନ୍ତ ଦୁଃଖର କଥା। ଯେଉଁମାନେ ଏଥିରେ ଦୋଷୀ, ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ। ଏଥିରେ ତିଳେ ମାତ୍ର ଏପଟ ସେପଟ ହେବାର ନାହିଁ।

ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ। ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ। ସୋମବାର ବିଳମ୍ବିତ ରାତିରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍ ଡେଥ୍) ଘୋଷଣା କରିଛନ୍ତି। ଫଳରେ ନିଜ କଲେଜ ଅଧ୍ୟାପକଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇ ଅନ୍ୟାୟ ବିରୋଧରେ ଲଢ଼ିଥିବା ଏହି ମୋଧାବିନୀ ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି। ବିଳମ୍ବିତ ରାତିରେ ଏହି ଖବର ଜଣାପଡ଼ିବା ପରେ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଛନ୍ତି।
୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ତେବେ ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ତାଙ୍କର ଶ୍ବାସନଳୀ, ହୃତ୍ପିଣ୍ଡ, ବୃକକ୍ ସମେତ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇ ପଡ଼ିଥିଲା। ଶେଷରେ ଆଜି ରାତି ପ୍ରାୟ ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଏହାର କିଛି ସମୟ ପରେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ।
ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳିରେ ଫାଟିଛି ଗାଁ।
ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ ସୌମ୍ୟାଶ୍ରୀଙ୍କ ଏକାଧିକ ପ୍ରତିଭାକୁ ଝୁରୁଛନ୍ତି ଅଞ୍ଚଳବାସୀ। ବାଲେଶ୍ବର ଭୋଗରାଇରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ହେବ ବୋଲି ଜଣାପଡ଼ିଛି। ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ସୌମ୍ୟଶ୍ରୀଙ୍କ ମରଶରୀରକୁ ଭୋଗରାଇ ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବ୍ୟକ୍ତିଗତ 'X' ଆକାଉଣ୍ଟରେ ସମ୍ପୃକ୍ତା ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଛାତ୍ରୀଙ୍କ ମୃତଦେହକୁ ଏମ୍ସର ପଛ ଗେଟ୍ ଦେଇ ବାହାରକୁ ନିଆଯିବାବେଳେ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଜେଡି ଏବଂ କଂଗ୍ରେସର ଛାତ୍ର ଓ ଯୁବନେତାମାନେ ଆମ୍ବୁଲାନ୍ସ ସମ୍ମୁଖରେ ଶୋଇ ପ୍ରତିବାଦ କରିବା ସହ ପୋଲିସ ଓ ପ୍ରଶାସନ ଲୁଚାଇ କରି ମୃତଶରୀର ନେଇଯାଉଥିବା ଅଭିଯୋଗ କରିଥିଲେ। ଏନେଇ ଡିସିପି ଜଗମୋହନ ମୀନା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୃତଦେହକୁ ରାତିରେ ବ୍ୟବଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମୃତଦେହ ନିଆଯାଉଥିବା ସମୟରେ କେତେକ ଛାତ୍ରଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି।
ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ(ଏଚ୍ଓଡି) ସମୀର କୁମାର ସାହୁଙ୍କ ଦ୍ୱାରା ପ୍ରାୟ ୬ମାସ ଧରି ପୀଡ଼ିତା ଛାତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ପାଇ ଆସୁଥିଲେ। ଗତ ଜୁନ୍ ୩୦ ତାରିଖରେ ଏସଂକ୍ରାନ୍ତରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାର ପରଦିନ ଅର୍ଥାତ୍ ଜୁଲାଇ ୧ରେ ପୀଡ଼ିତା ଏହି ଅଭିଯୋଗ ସଂକ୍ରାନ୍ତରେ ନିଜ 'X' ଆକାଉଣ୍ଟରେ ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଅଧିକାରୀ, ନେତା ଏବଂ କର୍ତ୍ତୃପକ୍ଷଙ୍କୁ ଟ୍ୟାଗ୍ କରିଥିଲେ। ହେଲେ କୌଣସି ନ୍ୟାୟ ନ ପାଇ ୧୨ତାରିଖ ଶନିବାର ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଅଁା ଲଗାଇ ଦେଇଥିଲେ।
ଉପସ୍ଥିତ କେତେଜଣ ଛାତ୍ରଙ୍କ ଦ୍ୱାରା ସେ ଉଦ୍ଧାର ହୋଇଥିଲେ ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅପରାହ୍ନରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୫% ପୋଡ଼ି ଯାଇଥିବାରୁ ତାଙ୍କୁ ଏମ୍ସ ବର୍ନ ୟୁନିଟ୍ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏପରି କି ଦିଲ୍ଲୀ ଏମ୍ସର ଡାକ୍ତରୀ ଦଳଙ୍କ ସହାୟତାରେ ଏଠାକାର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖି ଚିକିତ୍ସା ଚଳାଇଥିଲେ। କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ପୀଡ଼ିତା ସୋମବାର ରାତିରେ ଆଖି ବୁଜିଛନ୍ତି। ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ବାଲେଶ୍ୱର ଜିଲା ଭୋଗରାଇସ୍ଥିତ ବାସଭବନକୁ ନିଆଯିବା ପାଇଁ ପରିବାର ଲୋକ ନିଷ୍ପତ୍ତି ନେଇଥିଲେ।












Click it and Unblock the Notifications