ଆସୁଛି ଆଉ ଏକ ଲଘୁଚାପ; ପ୍ରବଳ ବର୍ଷାରେ ପୁଣି ଭିଜିବ ଓଡ଼ିଶା,ସତର୍କ ସୂଚନା ଜାରି କଲା ପାଣିପାଗ !
ରାଜ୍ୟରେ ଆସନ୍ତା ଦୁଇ ସପ୍ତାହ ସ୍ୱାଭାବିକ ବା ଏହାଠାରୁ ଅଧିକ ବର୍ଷା ହେବ । ପ୍ରଥମ ସପ୍ତାହରେ ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ । ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଅତିକ୍ରମ କରିଛି । ଏହା ଘନୀଭୂତ ହେବା ସହ ପଶ୍ଚିମ ଆଡ଼କୁ ମୁହାଁଇଛି । ୨୭ ତାରିଖରେ ଏହା ଗୁଜରାଟ ଉପରେ ରହିବ । ୨୬ ତାରିଖରେ ମୌସୁମୀ ଟ୍ରଫ୍ର ପୂର୍ବ ଭାଗରେ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୪୮ ଘଣ୍ଟା ଭିତରେ ଏହା ମୌସୁମୀ ଟ୍ରଫ୍ରେ ମିଶିଯିବ। ୨୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପୁଣି ଭାରତ ମହାସାଗରରେ ମେଡେନ ଜୁଲିଅନ ଓସିଲେସନ ରହିଛି। ଏହା ସକ୍ରିୟ ହେଲେ ବଙ୍ଗୋପସାଗରୀୟ ମୌସୁମୀ ଶାଖା ଅଧିକ ସକ୍ରିୟ ହେବ। ଆସନ୍ତା ଦୁଇ ସପ୍ତାହ ଓଡ଼ିଶା ସମେତ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବର୍ଷା ଲାଗି ରହିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।
ଏ ମାସ ଶେଷ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରତିଦିନ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ୨୮ରୁ ୩୦ ତାରିଖ ଯାଏ ମଧ୍ୟମରୁ ଭାରୀ ବର୍ଷା ହେବ । ଅନ୍ୟ ଦିନରେ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ୨୫, ୨୭, ୨୯ ଓ ୩୧ ତାରିଖରେ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର ଆଭ୍ୟନ୍ତରରେ ୨୬ ଓ ୨୭ ତାରିଖରେ ଭାରୀ ବର୍ଷା ହୋଇପାରେ। ରାଜଧାନୀରେ ଶନିବାର ଅପରାହ୍ଣ ୪ଟା ଯାଏ ପାଗ ଶୁଖିଲା ରହିବ ବୋଲି ଡ. ପଶୁପାଳକ କହିଛନ୍ତି । ଆଗକୁ ବର୍ଷା ଥିବାରୁ ଧାନରେ ଶୀର୍ଷ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଶନିବାର ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ୨୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ଭାରୀ ବର୍ଷା ସମ୍ଭାବନା ଅଛି । ୨୬ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହେବ ।












Click it and Unblock the Notifications