Dengue in Odisha: ୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ
ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ । ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ ରହୁଥିବାବେଳେ ଭୁବନେଶ୍ୱର ହଟ୍ସ୍ପଟ୍ ପାଲଟୁଛି । ଗତ ୨/୩ବର୍ଷ ଧରି ଏହି ଧାରା ବଜାୟ ରହିଛି। ସ୍ମାର୍ଟସିଟି ହୋଇ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହୁଥିବେଳେ, ପ୍ରତ୍ୟେକ ବର୍ଷ ବିଏମ୍ସି ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି।
ଚଳିତ ଥର ମଧ୍ୟ ସମାନ ସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। ଜୁନ୍ ଆରମ୍ଭରୁ ୧୩ ତାରିଖ ସୁଦ୍ଧା ସହରରୁ ମୋଟ୍ ୨୪ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଦ୍ଧ ବିହାର ଏବଂ ପଟିଆ ଅଞ୍ଚଳରୁ ସର୍ବାଧିକ ୪ଜଣ ଲେଖାଏ ସଂକ୍ରମିତ ରହିଥିବା ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ମାତ୍ର ୧୩ ଦିନରେ ସହରରୁ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ କିପରି ମୁକାବିଲା କରିବ ସେ ନେଇ ବିଏମ୍ସିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।
ବର୍ଷାଦିନ ପୂର୍ବରୁ ନାଳ, ରାସ୍ତାକଡ଼, ସ୍ଥିର ଜଳଉତ୍ସ ଓ ଅନ୍ୟ ଅଞ୍ଚଳରେ ସଫେଇ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଜୁନ୍ ମାସ ଶେଷ ନ ହେଉଣୁ ମଶାଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ବିଏମ୍ସିର ଖାମଖିଆଲ ନୀତି ପାଇଁ ପ୍ରତିବର୍ଷ ସହରରେ ଡେଙ୍ଗୁ ସଂକ୍ରମଣ ରେକର୍ଡ ଛୁଇଁବାରେ ଲାଗିଛି।

ଗତବର୍ଷ ସହରରୁ ପ୍ରାୟ ୫ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରେ ୫ଜଣ ମୃତ୍ୟୁବରଣ କରିଥିଲେ। ଏନେଇ ବିଏମ୍ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଛନ୍ତି, ଏଲିସା ପଦ୍ଧତି ହିଁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରିବାର ଠିକ୍ ମାଧ୍ୟମ। କ୍ୟାପିଟାଲ ହସ୍ପିଟାଲ, ଆର୍ଏମ୍ଆର୍ସି, ପଟିଆ ଏବଂ ଆଇଆର୍ସି ଭିଲେଜ୍ ହସ୍ପିଟାଲରେ ହେଉଥିବା ଟେଷ୍ଟିଂକୁ ହିସାବରେ ନିଆଯାଉଛି।
ସହରରେ ଡେଙ୍ଗୁ ସଂକ୍ରମଣ କମାଇବା ପାଇଁ ବିଏମ୍ସି ବିଭିନ୍ନ ସମୟରେ ଭିନ୍ନଭିନ୍ନ ରଣନୀତି ଆପଣାଉଛି। କେତେବେଳେ ଡ୍ରାଏ ପାଳନ ତ ଆଉ କେତେବେଳେ ଗଣ ସଫେଇ କାର୍ଯ୍ୟକ୍ରମ ହାତକୁ ନେଉଛି। ସେହିପରି ଘରକୁ ଘର ବୁଲି ସର୍ଭେ କରିବା, ଫଗିଂ କରିବା, ନାଳରେ ଗମ୍ବୁସିଆ ମାଛ ଛାଡିବା ଭଳି ବିଭିନ୍ନ ପଦକ୍ଷେପ ନେଉଛି। ମାତ୍ର ଏତେ ପରେ ବି ସବୁ ଚେଷ୍ଟା ଫେଲ୍ ମାରୁଛି। କାରଣ ଡେଙ୍ଗୁ ମଶା ସାଧାରଣତଃ ସ୍ଥିର ଜଳରେ ଅଣ୍ଡା ଦେଉଛନ୍ତି, ଯାହା ଉପରେ ବିଏମ୍ସି ଦୃଷ୍ଟି ଦେଉନାହିଁ। ସେହିପରି ଗମ୍ବୁସିଆ ଏବଂ ଗପି ମାଛକୁ ବୋହିଯାଉଥିବା ଜଳ ଉତ୍ସ ବା ନାଳରେ ପକାଯାଉଛି। ଫଳରେ ଏହି ମାଛମାନେ ମଶାଙ୍କ ଲାର୍ଭା ଖାଇବାରେ ସଫଳ ହେଉଛନ୍ତି। ମାତ୍ର ଡେଙ୍ଗୁ ବାହାକ ମଶାଙ୍କ କ୍ଷେତ୍ରରେ ତାହା ଲାଭଦାୟକ ହେଉନାହିଁ।












Click it and Unblock the Notifications