ବ୍ରହ୍ମପୁର ସହରରେ ଡରାଇବାକୁ ଲାଗିଲାଣି ଡେଙ୍ଗୁ; କେତେ ତପ୍ତର ପ୍ରଶାସନ ?
ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି । କିଛି ଦିନ ତଳେ ସହରରେ ବର୍ଷା ହୋଇସାରିଛି । ଜମି ରହିଥିବା ପାଣିରେ ମଶା ବଂଶ ବଢ଼ିବା ଆଶଙ୍କା ଦେଖାଦେଇଛି ।
ଗତବର୍ଷ ଏହି ସମୟରେ ୪୪ ଡେଙ୍ଗୁ ରୋଗୀ ସହରରେ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ବି ଡେଙ୍ଗୁ ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଯାଏଁ ତପତ୍ରତା ପ୍ରକାଶ ପାଇନାହିଁ।
ସହରରେ ବିଇଏମ୍ସିର ୮ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୭ଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ରହିଛି। ଡେଙ୍ଗୁ ପାଇଁ ସମସ୍ତେ ସଜାଗ ରହିଛୁ ବୋଲି ବିଇଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ର ଯାଞ୍ଚ ପାଇଁ ଦୁଇଟି ଟିମ ରହିଛି। ଆଭ୍ୟନ୍ତରିଣ ଯାଞ୍ଚ କ୍ଷେତ୍ରକୁ ତନଖି କରୁଥିବା ଅଧିକାରୀ କହିଛନ୍ତି ଯେ, ସମସ୍ତ କେନ୍ଦ୍ର ପକ୍ଷରୁ ଗତ ୫ ଓ ୬ ତାରିଖରେ ସଚେତନତା ରାଲି ବାହାରିଥିଲା। ଉକ୍ତ ରାଲି ସହରରେ ଥିବା ୪୨ ୱାର୍ଡ ବୁଲିଥିଲା। ଏଥି ସହିତ ଏଲ୍ଇଡି ଦ୍ୱାରା ମୁଖ୍ୟ ସ୍ଥାନରେ ଡେଙ୍ଗୁକୁ କିଭଳି ଦମନ କରାଯାଇପାରିବ ତା'ର ବାର୍ତ୍ତା ବି ଦିଆଯାଇଥିଲା।

ଭ୍ରାମ୍ୟମାଣ ଗାଡି ଦ୍ୱାରା ପ୍ରଚାର ବି ହୋଇଛି। ଏଥିସହିତ ସହରରେ ଥିବା ୧୮୦ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବି ସଚେତନତା କାର୍ଯ୍ୟ କରାଯାଉଛି। ଏହି ଟିମରେ ଚଳିତବର୍ଷ ଜଣେ ମହିଳା ଏଏନଏମ, ଜଣେ ଅଙ୍ଗନୱାଡି କର୍ମୀ, ଜଣେ ଆଶାକର୍ମୀ ଓ ଜଣେ ମହିଳା ଆରୋଗ୍ୟ ସମିତିର ସ୍ବେଚ୍ଛାସେବୀ ରହିଛନ୍ତି। ଏମ୍କେସିଜି ନଚେତ ସିଟି ହସ୍ପିଟାଲରେ ପରୀକ୍ଷାରୁ ଡେଙ୍ଗୁ ବାହାରିଲେ ତାକୁ ହିଁ ପ୍ରାମାଣିକ ବୋଲି ଧରି ନିଆଯାଉଛି।
ଲାର୍ଭା କେଉଁଠି ରହିଛି ତାକୁ ନିପାତ କରିବାର ପଦକ୍ଷେପ ନେବା ବ୍ୟବସ୍ଥା କରାଯିବ। ଏଥିପାଇଁ ଏଭଳି ୪୨ ଟିମ ଗଠନ କରାଯାଇଛି। ଗତ ବର୍ଷ ସ୍ବଚ୍ଛ ସାଥୀମାନଙ୍କୁ ଏହି ଟିମରେ ନିଆଯାଇଥିଲା। ସେମାନଙ୍କୁ ଏବାବଦ ୩ଲକ୍ଷ ୧୦ ହଜାର ୮୦୦ ଟଙ୍କା ପ୍ରଦାନ କରାଯାଇଛି।
ତେବେ ପାଣି ଜମି ରହିବା ସ୍ଥାନକୁ ନଜର ଦିଆଯାଇ ମଶାଙ୍କ ପ୍ରଦୁର୍ଭାବ ଯେଭଳି ନ ବଢ଼ିବ ସେଥିପାଇଁ ବିଭାଗ ତପତ୍ର ରହିଛି ବୋଲି ସେ କହିଛନ୍ତି। ତେବେ ଆଗୁଆ ପଦକ୍ଷେପ ନ ନେଲେ ଗତବର୍ଷର ପରିସ୍ଥିତି ଉପୁଜିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।












Click it and Unblock the Notifications