ବିଧାୟକଙ୍କ ପାଣ୍ଠି ବୃଦ୍ଧି ନେଇ ବିଧାନସଭାରେ ଦାବି
ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବିଧାୟକ ପାଣ୍ଠି ବୃଦ୍ଧି କରିବାକୁ ଦାବି କରିଛନ୍ତି ।
ଭୁବନେଶ୍ୱର: ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ବିଧାୟକ ପାଣ୍ଠି ବୃଦ୍ଧି କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଦିଆଯାଉଛି ।

ଏହି ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନକର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି, ରାଜ୍ୟର ବଡ଼ ବଡ଼ ମନ୍ଦିରର ବିକାଶ ଚାଲୁ ରହିଛି । ମାତ୍ର ଗାଁରେ ଥିବା ଛୋଟଛୋଟ ମନ୍ଦିରର ବିକାଶ ପାଇଁ ବିଧାୟକ ପାଣ୍ଠି କମ୍ ପଡୁଛି । ସେଥିପାଇଁ ସାଧାରଣରେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ୨ କୋଟି ଟଙ୍କାକୁ ୩ କୋଟି କରଯାଉ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ପଡ଼ୋଶୀ ରାଜ୍ୟରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି । ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ, ତାହାର ବ୍ୟବସ୍ଥା କରାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତାଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରାଯାଉ।
ଅନ୍ୟପଟେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର ପ୍ରସ୍ତାବ ନାହିଁ ।
ସମୟ ଆସିଲେ ବିଚାର କରାଯିବ । ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ଆନ୍ଧ୍ର ପ୍ରଦେଶରେ 2 କୋଟି ଥିବା ବେଳେ ତେଲଙ୍ଗାନାରେ ୫ କୋଟି, ଛତିଶଗଡ଼ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି, ମହାରାଷ୍ଟ୍ରରେ ୫ କୋଟି ଏବଂ ଉତ୍ତର ପ୍ରଦେଶରେ ୫ କୋଟି ଟଙ୍କା ରହିଛି । ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications