ଓଡ଼ିଶା ଇ-ଗଭର୍ଣ୍ଣାନ୍ସର ଏକ ଆଦର୍ଶ: ଡେଲୋଏଟ୍ ଅଧ୍ୟକ୍ଷ ଅତୁଲ ଧାୱନ
ଓଡ଼ିଶା ଇ-ଗଭର୍ଣ୍ଣାନ୍ସର ଏକ ଆଦର୍ଶ: ଡେଲୋଏଟ୍ ଅଧ୍ୟକ୍ଷ ଅତୁଲ ଧାୱନ
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ନିବେଶକ ଶିଖର ସମ୍ମିଳନୀ 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭ୍, ୨୦୨୨ ଚଳିତ ନଭେମ୍ବର ୩୦ ତାରିଖରୁ ଆଗାମୀ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଭାରତ ତଥା ବିଶ୍ଵସ୍ତରୀୟ ବହୁ ଅଗ୍ରଣୀ ବ୍ୟବସାୟୀମାନଙ୍କୁ ନେଇ ଏହି କନ୍କ୍ଲେଭର ଆୟୋଜନ କରାଯାଇଛି । ଓଡ଼ିଶା ନିଜର ପ୍ରଗତିଦ୍ଵାରା କିଭଳି ଭାରତର ଅନ୍ୟତମ ପ୍ରମୁଖ ନିବେଶସ୍ଥଳ ଭାବରେ ନିଜକୁ ପ୍ରମାଣିତ କରିପାରିଛି, ଏହି କନକ୍ଲେଭରେ ତାହା ପ୍ରଦର୍ଶିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ବୈଷୟିକ ଇକୋସିଷ୍ଟମ୍ର କେତେକ ପ୍ରମୁଖ ନାମ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି କ୍ଷେତ୍ରରେ କେତେକ ବଡ଼ କମ୍ପାନୀ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶା ନିଜକୁ ବିବର୍ତ୍ତନ ଏବଂ ଏକ ପ୍ରମୁଖ ବୈଷୟିକ କେନ୍ଦ୍ରରେ ପରିବର୍ତ୍ତନ କରିଥିବା ନେଇ ଏକ ଛୋଟ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଇ-ଆଣ୍ଡ ଆଇଟି ସଚିବ ମନୋଜ କୁମାର ମିଶ୍ର ଏବଂ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ତା ମଧ୍ୟ ନିଜ ନିଜରବକ୍ତବ୍ୟରେ ଏହି ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ସମାବେଶକୁ ସମ୍ବୋଧିତ କରି ଇ-ଆଣ୍ଡ ଆଇଟି ସଚିବ ମନୋଜ କହିଥିଲେ ଯେ, ଏହା ହେଉଛି ନୂତନ ଓଡ଼ିଶା ଯେଉଁଠାରେ ଆମେ ପ୍ରଶାସନିକ ନିଷ୍ପତ୍ତିକୁ ବ୍ୟବସାୟ ମଡେଲ ପରି ବେଗବାନ କରିପାରିଛୁ । ରାଜ୍ୟରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଆଇଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବହୁତ କମ୍ କ୍ଷେତ୍ର ରହିଛି ଯାହାକି ଯେକୌଣସି ଅର୍ଥନୀତି ଉପରେ ଆଇଟିର ବହୁଗୁଣ ପ୍ରଭାବ ସହିତ ମେଳ ଖାଇପାରିବ ।

ନିବେଶକ ଶିଖର ସମ୍ମିଳନୀରେ ଓଡ଼ିଶା ସରକାରଙ୍କ ସହିତ ଇଣ୍ଟେଲ୍, ଆଡୋବ୍ ଏବଂ ଇପିଆଇସି ଫାଉଣ୍ଡେସନ୍ ପକ୍ଷରୁ ଏମଓୟୁ ସ୍ୱାକ୍ଷର କରାଯାଇଥିଲା । କମ୍ପାନୀଗୁଡ଼ିକ ମଧ୍ୟରେ ବିଭିନ୍ନ ସହଯୋଗ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଓଡ଼ିଶାକୁ ଭାରତର ଅନ୍ୟତମ ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜ୍ୟ ଭାବରେ ପରିଣତ କରିବାକୁରାଜ୍ୟ ସରକାରଙ୍କ ଯୋଜନା କରିଛନ୍ତି । ଆଲୋଚନା ଅନୁଯାୟୀ, ଇପିଆଇସି ଫାଉଣ୍ଡେସନ୍ ଅର୍ଥ ବିନିଯୋଗ କରିବାର ସମ୍ଭାବନା ରହିଛି । ଟ୍ୟାବଲେଟ୍-ପିସି ଭଳି ଇଲେକ୍ଟ୍ରୋନିକ୍ସ ଉତ୍ପାଦ କ୍ଷେତ୍ରରେ ରାଜ୍ୟର ଉତ୍ପାଦନ କ୍ଷମତା ବୃଦ୍ଧି ଦିଗରେ ଗୁରୁତ୍ୱାରୋପ କରାଯାଇଛି ।
ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାବିତମାନଙ୍କର ଡିଜିଟାଲ ସାକ୍ଷର ଦକ୍ଷତାକୁ ଉନ୍ନତ କରିବା ଦିଗରେ ଆଡୋବ ବିନିଯୋଗ କରିବ ବୋଲି ଆଶା କରାଯାଉଛି । ଫଳରେ ପ୍ରତିବର୍ଷ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହୋଇପାରିବ । ଓଡ଼ିଶା ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଉପରେ ମନ୍ତବ୍ୟ ଦେଇ ଆଡୋବ ଇଣ୍ଡିଆର ଏମଡି ଏବଂ ଭିପି ସୁଶ୍ରୀ ପ୍ରତିଭା ମହାପାତ୍ର କହିଛନ୍ତି, ''ଗତ କିଛିବର୍ଷର ଗଭୀର ପରିବର୍ତ୍ତନ ଭାରତରେ 'ଡିଜିଟାଲ ଅର୍ଥନୀତି'ଏବଂ 'ସୃଷ୍ଟିକର୍ତ୍ତା ଅର୍ଥନୀତି'ର ଅଭିବୃଦ୍ଧିକୁ ଉତ୍ସାହିତ କରିଛି । ଡିଜିଟାଲ ଅନୁଭୂତି ମାଧ୍ୟମରେ ବିଶ୍ୱକୁ ପରିବର୍ତ୍ତନ କରିବାର ଆଡୋବ ମିଶନକୁ ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ କରିଛି । ଓଡ଼ିଶା ସରକାରଙ୍କ ସହ ଆମର ବୁଝାମଣାପତ୍ର ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ଆଡୋବ ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ସ୍କିଲିଂ ଇକୋସିଷ୍ଟମ୍ ଚଳାଇବ, ଯାହା ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଶିକ୍ଷାବିତଙ୍କ ବୃତ୍ତିଗତ ବିକାଶ କରିବା ସହିତ ୧୦୦ଟି ବିଦ୍ୟାଳୟରେ ଛାତ୍ରମାନଙ୍କୁ କୁଶଳୀ କରିବାରେ ସହଯୋଗ କରିବ । ଏହା ଓଡ଼ିଶାକୁ ଦେଶରେ ଏକ ସର୍ବୋଚ୍ଚ ପ୍ରତିଭାକେନ୍ଦ୍ର କରିବାରେ ସାହାଯ୍ୟ କରିବ। ଇଣ୍ଟେଲ ଏବଂ ସରକାର ରାଜ୍ୟର ଡିଜିଟାଲ ପ୍ରସ୍ତୁତି ତଥା ସଂଯୋଗରେ ଉନ୍ନତି ଆଣିବା ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାର ସଂସ୍ପର୍ଶରେ ଆସିବିଭିନ୍ନ କ୍ଷେତ୍ରରେ ସହଯୋଗ କରିବାର ସମ୍ଭାବନା ରହିଛି । ସେମାନଙ୍କର ସମ୍ଭାବ୍ୟ ବିନିଯୋଗରେ ପ୍ରତିବର୍ଷ ଉଚ୍ଚ-ଦକ୍ଷତାସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବ ।

ନିକଟରେ, ଡେଲୋଏଟ୍ ରାଜ୍ୟରେ ଏକ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମଧ୍ୟ ଘୋଷଣା କରିଛି ଯାହା ପ୍ରାୟ ୧୫୦୦ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସହିତ ୨୦୨୪ ସୁଦ୍ଧା ୬୦୦କୋଟି ଟଙ୍କାରୁ ଅଧିକ ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ଶିଳ୍ପପତିମାନେ କ୍ରମାଗତ ପରିବର୍ତ୍ତନଶୀଳ ସମୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିରେ ଭବିଷ୍ୟତର ବୈଷୟିକ ଏବଂ ନିବେଶ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ ।ମେକ୍ ଇନ ଓଡ଼ିଶା କନକ୍ଲେଭରେ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଶୀର୍ଷନେତୃବର୍ଗ ସାମ୍ପ୍ରତିକ ପରିବର୍ତ୍ତନଶୀଳ ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟାର ବିକାଶଶୀଳ ତଥା ପରିବର୍ତ୍ତନ-ଅଭିମୁଖୀ ଭୂମିକା ଉପରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ନେତୃସ୍ଥାନୀୟ ବ୍ୟବସାୟୀମାନଙ୍କ ମଧ୍ୟରେ 'କ୍ରମାଗତ ବ୍ୟାଘାତପୂର୍ଣ୍ଣ ଯୁଗରେ ସୂଚନା ପ୍ରଯୁକ୍ତିବିଦ୍ୟାର ପୁନଃ ପରିକଳ୍ପନା' ଶୀର୍ଷକ ଆଲୋଚନା କରାଯାଇଥିଲା । ଏଚସିଏଲର ସହ-ପ୍ରତିଷ୍ଠାତା ଅଜୟ ଚୌଧୁରୀ ଭାରତ ନିଜକୁ ଏକ ଅଗ୍ରଣୀ ଉତ୍ପାଦ ରାଷ୍ଟ୍ରରେ ପରିଣତ କରିବାର ଉପାୟ ଏବଂ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଭାରତ ଉତ୍ପାଦ ଡିଜାଇନରେ ନେତୃତ୍ୱ ନେଇପାରିବ ଏବଂ ମରାମତିଯୋଗ୍ୟ ତଥା ଉନ୍ନତ ଯୋଗ୍ୟ ଉତ୍ପାଦ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେମିକଣ୍ଡକ୍ଟର, ଲାପଟପ୍, ଡ୍ରୋନ୍ ଏବଂ ଡାକ୍ତରୀ ଉପକରଣ ଉତ୍ପାଦନରେ ବହୁତ ସୁଯୋଗ ରହିଛି ସେ କହିଥିଲେ।
ଇଣ୍ଟେଲ ଇଣ୍ଡିଆର ମୁଖ୍ୟ ନିଭୃତି ରାୟ ଏକ ସମୃଦ୍ଧ ସେମିକଣ୍ଡକ୍ଟର ଶିଳ୍ପ ସୃଷ୍ଟି କରିବା ପାଇଁ ସ୍ଥିର ଭାଗିଦାରୀ ଗଠନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ୫ ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହାସଲ କରିବା ପାଇଁ ଭାରତ ଏହାର ଡିଜିଟାଲ ଏବଂ ଭୌତିକ ଦୁନିଆକୁ ମିଶ୍ରଣ କରିବା ଉପରେ ଧ୍ୟାନ ଦେବା ଉଚିତ । ଓଡ଼ିଶା ଏକ ସହଯୋଗୀ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ବିକଶିତ କରିବା ଆବଶ୍ୟକ କାରଣ ସେମିକଣ୍ଡକ୍ଟର ହେଉଛି 'ନୂତନ ତେଲ' ଏବଂ ଜୀବନର ପ୍ରତ୍ୟେକ ଦିଗକୁ ନିୟନ୍ତ୍ରଣ କରେ । ଡେଲୋଏଟ୍ର ଅଧ୍ୟକ୍ଷ ଅତୁଲ ଧାୱନ ଜୀବନର ଉନ୍ନତି ପାଇଁ ଡିଜିଟାଲ କାରବାରରେ ଆଇଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ଭାବନାର ପରିସରକୁ ବର୍ଣ୍ଣନା କରି ସେ କହିଛନ୍ତି ଡିଜିଟାଲ ଗଭର୍ଣ୍ଣାନ୍ସରେ ଆଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଓଡ଼ିଶାକୁ "ଇ-ଗଭର୍ଣ୍ଣାନ୍ସର ଏକ ଆଦର୍ଶ" ବୋଲି ଧାୱନ କହିଥିଲେ । ରାଜ୍ୟର ୫ଟି ଶାସନ ଚାର୍ଟରକୁ ପ୍ରଶଂସା କରିଥିଲେ ଯେଉଁଥିରେ ଟେକ୍ନୋଲୋଜି ଏହାର ଏକ କେନ୍ଦ୍ରୀୟ ନୀତି ଭାବରେ ରହିଛି । ଆଡୋବ ଇଣ୍ଡିଆ ୱେବ୍ ୩.୦ର ଏମଡି ଏବଂ ଭିପିପ୍ରତିଭା ମହାପାତ୍ର ଆମ ଜୀବନ ଉପରେ ଆଇଟିର ବୈପ୍ଳବିକ ପ୍ରଭାବ ଉପରେ ବିଚାର ବିମର୍ଶ କରିଥିଲେ। ଭବିଷ୍ୟତରେ, ଆମର ମେଟାଭର୍ସ ହବ୍ ରହିବ ଏବଂ ଉପଭୋକ୍ତା ଭାବରେ ଆମେ ସେଥିରେ ବସିବୁ ବୋଲି ସେ କହିଛନ୍ତି । ଆଲୋଚନାପରେ ଅଂଶଗ୍ରହଣକାରୀଙ୍କ ମନରେ ଥିବା ବିଭିନ୍ନ ପ୍ରଶ୍ନକୁ ନେଇ ଏକ ପ୍ରଶ୍ନୋତ୍ତର ଅଧିବେଶନ କରାଯାଇଥିଲା । ଇ -ଆଣ୍ଡ ଆଇଟି ସଚିବଙ୍କଦ୍ୱାରା ବିଶିଷ୍ଟ ବକ୍ତାମାନଙ୍କୁ ସ୍ମାରକୀ ପ୍ରଦାନ ଏବଂ ଧନ୍ୟବାଦ ପ୍ରଦାନ ସହିତ ଆଜିର ଅଧୀବେଶନ ଶେଷ ହୋଇଥିଲା ।












Click it and Unblock the Notifications