କରୋନାରେ ଡ୍ୟୁଟି ସମୟରେ କନଷ୍ଟେବଳଙ୍କ ମୃତ୍ୟୁ ମାମଲା: ପତ୍ନୀଙ୍କୁ ମିଳିବ ୫୦ ଲକ୍ଷ
କଟକ: ଡ୍ୟୁଟିରେ ଥାଇ କରୋନା ସଂକ୍ରମିତ ହେବା ସହିତ ପ୍ରାଣ ହରାଇଥିବା ପୁଲିସ କନଷ୍ଟେବଳଙ୍କ ବିଧବା ପତ୍ନୀଙ୍କୁ ୬ ମାସ ଭିତରେ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେନକାରୀଙ୍କୁ ସ୍ବତନ୍ତ୍ର ପରିବାର ପେନସନ୍ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।
ଅନୁକମ୍ପାମୂଳକ ସହାୟତା ରାଶି ଓ ପେନସନ୍ ପ୍ରଦାନ ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନୁଗୁଳ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କ ବେଞ୍ଚ ଭାରତୀ ଶତପଥୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ୨୦୨୦, ଅଗଷ୍ଟ ୪ ର ବିଜ୍ଞପ୍ତି ଅନୁସାରେ ଜଣେ କନଷ୍ଟେବଳ କାର୍ଯ୍ୟରତ ଅବସ୍ଥାରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। କୋଭିଡ ଯୋଦ୍ଧା ଭାବେ ସେ ପ୍ରାଣ ହରାଇଥିଲେ। ତେଣୁ ଏହି ବିଜ୍ଞପ୍ତି ଅନୁସାରେ ମୃତ କନଷ୍ଟେବଳଙ୍କ ପତ୍ନୀ ସରକାରଙ୍କ ଦ୍ବାରା ଧାର୍ଯ୍ୟ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଓ ସ୍ବତନ୍ତ୍ର ପେନସନ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି।

ମାମଲା ଅନୁଯାୟୀ, ୧୯୯୯ରେ ସତ୍ୟବାଦୀ ଦେହୁରୀ ପୋଲିସ କନଷ୍ଟେବଳ ଭାବେ ଚାକିରିରେ ଯୋଗ ଦେଇଥିଲେ। ୨୦୨୧ରେ ସେ ଅନୁଗୁଳ ରିଜର୍ଭ ଇନ୍ସପେକ୍ଟରଙ୍କ ଅଧିନସ୍ଥ ଏଚଆରଏମଏସରେ ଡ୍ୟୁଟି ସମୟରେ କରୋନା ସଂକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ଅନୁଗୁଳର ଡାକ୍ତରଖାନା ଓ ପରେ ଭୁବନେଶ୍ବର ସ୍ଥିତ ସରକାରଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। କରୋନା ସଂକ୍ରମଣ କାରଣରୁ ୨୦୨୧, ଅକ୍ଟୋବର ୧୨ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
୨୦୨୦, ଅଗଷ୍ଟ ୪ରେ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଡ୍ୟୁଟି କରୁଥିବା ସରକାରୀ କର୍ମଚାରୀ ଯଦି କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥାନ୍ତି ତେବେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସ୍ବତନ୍ତ୍ର ପେନସନ୍ ପ୍ରଦାନ କରାଯିବ। ସତ୍ୟବାଦୀ ଦେହୁରୀ ଡ୍ୟୁଟି କରୁଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ ଓ ଶେଷରେ ଏହି ସଂକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଅନୁଗୁଳ ଏସପିଙ୍କ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
ଅନ୍ୟପକ୍ଷରେ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଓ ସ୍ବତନ୍ତ୍ର ପେନସନ୍ ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତକୁ ରାଜ୍ୟ ଗୃହ ବିଭାଗ ୨୦୨୨, ଜୁଲାଇ ୭ରେ ଖାରଜ କରିଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିରଞ୍ଜନ ସିଂହ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଯଶୋବନ୍ତ ନାରାୟଣ ପାଠି ସହାୟତା କରୁଥିଲେ।












Click it and Unblock the Notifications