Nuapada By-Election: ନୂଆପଡ଼ା ଉପ ନିର୍ବାଚନ ଓ ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ
ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ବିହାର ବିଧାନସଭା ନିର୍ବାଚନ ସହିତ ୭ଟି ରାଜ୍ୟରେ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ସେ ନେଇ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିପାରନ୍ତି।
ନୂଆପଡ଼ା ପାଇଁ ବିଜେଡିର ରଣନୀତି
2027ରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ, ପରେ ମହାନଗର ନିର୍ବାଚନ ବି ହେବ। ତେବେ ତା ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ରାଜନୈତିକ ଦଳମାନଙ୍କ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ବିଜେଡି ଉପନିର୍ବାଚନ ମୈଦାନରେ ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ଭାବନାର କାର୍ଡ ଖେଳି ବାଜିମାତ କରିବାକୁ ଯୋଜନା କରିଛି।

ନୂଆପଡ଼ା ପାଇଁ ବିଜେପିର ରଣନୀତି
ତେଣେ ଶାସକ ବିଜେପି ପୂର୍ବତନ ରାଜ୍ୟ ସଭାପତି, ସାଂସଦ ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି। ମୋହନ ସରକାର ଏବଂ ଭାରତୀୟ ଜନତା ପାର୍ଟି ପାଇଁ ଏହି ଉପନିର୍ବାଚନ ମଧ୍ୟ କର ବା ମର ସ୍ଥିତି ହୋଇପାରେ। କାରଣ ପ୍ରଥମ କରି ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରଥମ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛି ଏହି ଗେରୁଆ ଦଳ। ଦଳ ସହ ମୋଦିଙ୍କ ସମ୍ମାନର ପ୍ରଶ୍ନ ମଧ୍ୟ ରହିଛି। କୌଣସି ମତେ ନୂଆପଡ଼ା ଜିତିବାକୁ ନିଜର ଶକ୍ତି ସାମର୍ଥ୍ୟ ଲଗାଇ ଦେଇପରନ୍ତି ମୋହନ ସରକାର।
ନୂଆପଡ଼ା ପାଇଁ କଂଗ୍ରେସର ରଣନୀତି
ଦେଶରେ ଭାରତୀୟ ଜନତା ପାର୍ଟିର ପାରମ୍ପରିକ ପ୍ରତିଦ୍ବନ୍ଦି ଭାବେ କଂଗ୍ରେସ ମଧ୍ୟ ନୂଆପଡ଼ାକୁ ହାତେଇବାକୁ ଯୋଜନା କରିଛି। ପୂର୍ବରୁ ନୂଆପଡ଼ା, କଂଗ୍ରେସ ହାତରେ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ବିଜେପି, ବିଜେଡି ହାତରେ ରହିଛି ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ। 2024 ସାଧାରଣ ନିର୍ବାଚନରେ କଂଗ୍ରେସରୁ ଟିକେଟ ନପାଇ ସ୍ଵାଧୀନ ଭାବେ ଲଢ଼ି ପ୍ରାୟ 50 ହଜାର ଭୋଟ ପାଇଥିଲେ ଘାସିରାମ ମାଝୀ।ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ାରେ ନିର୍ବାଚନ ଲଢ଼ି 10 ହଜାର ଭୋଟ ପାଇଥିଲେ। ନୂଆପଡ଼ା, କଳାହାଣ୍ଡି ସହ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମ୍ପର୍କ ବହୁ ପୁରୁଣା। ପିସିସି ସଭାପତି ଭକ୍ତ ଦାସ ପଶ୍ଚିମ ଓଡ଼ିଶା ତଥା କଳାହାଣ୍ଡି ଜିଲ୍ଲାର ଜଣେ ଅଗ୍ରଣୀ ନେତା ଭାବେ ପରିଚିତ। କଳାହାଣ୍ଡି ଜିଲ୍ଲାରେ 2024 ସାଧାରଣ ନିର୍ବାଚନରେ ଭକ୍ତ ବିଧାନସଭା ହରିଯାଇଥିଲେ ମଧ୍ୟ ତାଙ୍କ ପୁଅ ସାଗର ଦାସଙ୍କୁ ଜିତାଇବାରେ ସଫଳ ହୋଇଥିଲେ। ତେଣୁ ନୂଆପଡ଼ାରେ ଭକ୍ତ କଂଗ୍ରେସକୁ ଜିତାଇବାରେ ଯଦି ସଫଳ ହେଲେ, ତାହେଲେ ଦୀର୍ଘ 26 ବର୍ଷ ଧରି ଶାସନ କ୍ଷମତାରୁ ଦୂରରେ ଥିବା କଂଗ୍ରେସ ପାଇଁ ପୁଣି ଓଡ଼ିଶାରେ ନୂଆ ସମ୍ଭାବନା ସୃଷ୍ଟି ହେବ।
ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ
ବିଜେପି ସରକାରରେ ରାଜ୍ୟ ଦେଖିବ ପ୍ରଥମ ଉପନିର୍ବାଚନ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲିପଡିଥିବା ନୂଆପଡ଼ା ଆସନରେ ଅନୁଷ୍ଠିତ ହେବ ଉପନିର୍ବାଚନ। ବର୍ତ୍ତମାନ ସୁଦ୍ଧା ତିନି ଦଳର ପ୍ରାର୍ଥୀ ସ୍ଥିର ହୋଇନଥିଲେ ମଧ୍ୟ ବିଜୟ ନେଇ ଦଳର ବରିଷ୍ଠ ନେତାଏ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି। କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ସେନେଇ ଚାଲିଛି କାଲକୁଲେସନ। ସେପଟେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(SSRର) କାର୍ଯ୍ୟକାରୀ କରାଯିବ। ନିର୍ବାଚନ କମିଶନ ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଜାରି କରିବା ସହ ଆସନ୍ତା ଅକ୍ଟୋବର 9 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି ।
ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନ ସହିତ 7ଟି ରାଜ୍ୟରେ 8ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଉପବନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ରହିଛି-
ଓଡ଼ିଶାର ନୂଆପଡ଼ା
ଜମ୍ମୁ କାଶ୍ମୀରର ବୁଡ଼ଗାମ ଓ ନାଗରୋଟା
ରାଜସ୍ଥାନର ଆଣ୍ଟାଝାଡ଼ଖଣ୍ଡର ଘାଟଶିଳା
ତେଲଙ୍ଗାନାର ଜୁବଲୀ ହିଲ୍ସ
ପଞ୍ଜାବର ତାରନ ତାରନ
ମିଜୋରମର ଦାମ୍ପା












Click it and Unblock the Notifications