ଆସୁଛି ବାତ୍ୟା ‘ୟଶ’: SRC କହିଲେ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି । କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଯୋଗାଣର ଯେପରି ସମସ୍ୟା ନହୁଏ ସେଥିପାଇଁ ଶିଳ୍ପ ବିଭାଗ ବିଭିନ୍ନ ସଂସ୍ଥା ଗୁଡିକ ସହ ଆଲୋଚନା କରିଛନ୍ତି ।ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି ।
ତେବେ ପବନର ବେଗ ଓ ବର୍ଷା କେତେ ପରିମାଣରେ ହେବ ସଠିକ୍ ସୂଚନା ମିଳିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟ, ଏସଚଏଜି ଗ୍ରୁପ୍ ସ୍ଥାନାନ୍ତରଣରେ ସାମିଲ୍ ହେବେ । ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଇବ । ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ସିସିସିରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରଖାଯିବ ।
ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାବାଦ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ କୁହାଯାଇଛି ।
କାଲିଠାରୁ ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାକୁ ଯିବେ । ଟେଲିକମ୍ ବିଭାଗ ମଧ୍ୟ ଯୋଜନା କରିଛି । ସମସ୍ତ ଟେଲିକମ୍ ଅପରେଟର ଏକାଠି କାମ କରିବେ ବାତ୍ୟା ସମୟରେ । ଶକ୍ତି ବିଦ୍ୟୁତ୍ ବିଭାଗ ମଧ୍ୟ ଅତିରିକ୍ତ ମାନବ ସମ୍ବଳ ନେଇ ପଦକ୍ଷେପ ନେବେ ।












Click it and Unblock the Notifications