Cyclone yaas: ତାଜା ଅପଡେଟ, ପାରାଦୀପଠୁ ୫୭୦ କିମି ଦୂରରେ ରହିଛି ବାତ୍ୟା
ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଏବେ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ଥିବାବେଳେ, ବାଲେଶ୍ୱରଠାରୁ ୬୭୦ କିଲୋମିଟର ଦୂରରେ ରହିଛି ।
ଭୁବନେଶ୍ବର: ଓଡିଶା ମୁହାଁ ହେଲାଣି ବାତ୍ୟା ୟଶ । ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ ଏବେ ଏହା ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ଥିବାବେଳେ, ବାଲେଶ୍ୱରଠାରୁ ୬୭୦ କିଲୋମିଟର ଦୂରରେ ରହିଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ଏହା ଆହୁରି ଘନୀଭୂତ ହେବା ସହିତ ଗଭୀର ଅବପାତ ବା ଡିପ୍ ଡ୍ରିପେସନରେ ପରିଣତ ହେବ ।
ସେହିପରି ପଶ୍ଚିମବଙ୍ଗର ଦୀଘାଠାରୁ ୬୫୦, ଆଣ୍ଡାମାନର ପୋର୍ଟ ବ୍ଲେୟାର ପାଖରୁ ଏହି ଅବପାତ ଏବେ ୫୯୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେଲା ଏହା ସମୁଦ୍ର ଭିତରେ ଘଣ୍ଟାକୁ ୫ କିମି ବେଗରେ ଗତି କରୁଥିବାବେଳେ ୨୪ ମେ ସକାଳୁ ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।
ଅନ୍ୟପଟେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା 'ୟଶ'। ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି କହିଛନ୍ତି ଆଇଏମଡ଼ି ଡିଜି।
ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ଏହାସହ ବେଳେ ବେଳେ ପବନର ବେଗ ୧୮୫ କିମି ଛୁଇଁବ ବୋଲି ସେ କହିଛନ୍ତି । ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ଏହାସହ ୨୫ରୁ ପବନର ବେଗ ବଢ଼ିବ।
ତେବେ ବାତ୍ୟା 'ୟଶ' ଦ୍ବାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହି ଜିଲ୍ଲା ଗୁଡିକ ହେଉଛି- ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା। ଏସବୁ ଜିଲ୍ଲାରେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ।
ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପବନର ବେଗ ଯାହା ରହିଛି ଏଥିରେ ବଡ଼ ବଡ଼ ଗଛ ଉପୁଡ଼ିପାରେ ଏହାସହ ଆଜବେଷ୍ଟସ, କଚା ଓ ଟିଣ ଘର ଭାଙ୍ଗିବାର ସମ୍ଭାବନା ବି ରହିଛି ବୋଲି ପାଣିପାଗ ବିଭାଗ କହିଛି। ପବନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସହ କ୍ଷତି ଘଟାଇବ ବୋଲି ସୂଚନା ମିଳିଛି।












Click it and Unblock the Notifications