Cyclone Update: ଉତ୍ତର ଓଡ଼ିଶାରେ ବର୍ଷା ଓ ପବନ ସମ୍ଭାବନା; ୨୫ରେ ବାତ୍ୟା !
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ତେବେ ସାମାନ୍ୟ ଉତ୍ତର-ପୂର୍ବ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
ନିଜର ଗତି ଦିଗ ବଜାୟ ରଖିବା ସହ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖାପାଖି ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି ।
୨୫ ତାରିଖ ସୁଦ୍ଧା ବାତ୍ୟା ଓ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପଖାପାଖି ସମୁଦ୍ର ମଧ୍ୟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହାର ପ୍ରଭାବରେ ୨୩ ତାରିଖ ସକାଳରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ଆରମ୍ଭ ହୋଇଛି। ୨୪ ତାରିଖ ସକାଳେ ଅବପାତ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ କିମି ରହିଥିବ।
ବାତ୍ୟା ସମୁଦ୍ରରେ ରହିବାକୁ ଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡ଼ିବ ନାହିଁ। ତେବେ ବାତ୍ୟା ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାଠାରୁ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ୬୦ କିମି ହୋଇପାରେ। ୨୬ ଓ ୨୭ ତାରିଖରେ ବର୍ଷା ପ୍ରଭାବ ରହିବ।
ମତ୍ସ୍ୟଜୀବୀଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗୋପସାଗର, ୨୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
୨୫ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବ । ସ୍ଥଳ ବିଶେଷରେ ପବନର ବେଗ ୮୦ କିମିରେ ପହଞ୍ଚିପାରେ । ପରବର୍ତ୍ତୀ ସମୟରେ ପବନର ବେଗ ବଢ଼ିବା ସହ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ମଝିରେ ମଝିରେ ୧୨୦ କିମି ବେଗରେ ପବନ ହୋଇପାରେ ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ। ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ୨୬ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନ ଓ ୨୭ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications