ବାତ୍ୟା ‘ମୋନ୍ଥା': ୨୭, ୨୮ ଓ ୨୯ ତାରିଖ ଯାଏଁ ସମୁଦ୍ର ସ୍ନାନ ବାରଣ
୩ ଦିନ ପାଇଁ ପୁରୀ ସମୁଦ୍ରକୁ ମନା। ସମ୍ଭାବ୍ୟ ବାତ୍ୟା 'ମୋନ୍ଥା' ଆସୁଥିବା ଦେଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ହୋଇଛି। ଆସନ୍ତା ୨୭, ୨୮ ଏବଂ ୨୯। ଏହି ୩ ଦିନ ଧରି ସମୁଦ୍ର ଭିତରକୁ ନା କୌଣସି ପର୍ଯ୍ୟଟକଙ୍କୁ ଛଡ଼ାଯିବ ନା କେହି ବାଲିକୁ ଯାଇପାରିବେ। ସମ୍ଭାବ୍ୟ ବାତ୍ୟାକୁ ଦେଖି ସତର୍କତା ସ୍ବରୂପ ଏହି ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଯଦି କେହି ଅମାନିଆ ହେବେ ଏବଂ ସମୁଦ୍ରରେ ସ୍ନାନ କରିବେ, ଆଇନ ଅନୁଯାୟୀ କଡ଼ା ଆକ୍ସନ ନିଆଯିବ ବୋଲି କହିଛି ପୁରୀ ଅଗ୍ନିଶମ ବିଭାଗ। ବାତ୍ୟାର ପ୍ରକୋପ ବଢିଲେ ସମୁଦ୍ର ବାଲିକୁ ମଧ୍ୟ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି।
• ୩ ଦିନ ପାଇଁ ପୁରୀ ସମୁଦ୍ର ମନା
• ବାତ୍ୟା 'ମୋନ୍ଥା'କୁ ଦେଖି ପୁରୀ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି
• ୨୭, ୨୮ ଓ ୨୯ ତାରିଖ ଯାଏଁ ସମୁଦ୍ର ସ୍ନାନ ବାରଣ
• ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା ଆକ୍ସନ ହେବ
• ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା
• ବାତ୍ୟା ପ୍ରକୋପ ବଢିଲେ ସମୁଦ୍ର ବାଲିକୁ ବି ପର୍ଯ୍ୟଟକଙ୍କୁ ଛଡ଼ାଯିବନି
• ପୁରୀ ଅଗ୍ନିଶମ ଅଧିକାରୀ ପ୍ରଭାତ କୁମାର ରାଉତଙ୍କ ସୂଚନା
ବାତ୍ୟା ପ୍ରଭାବରେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଗାମୀ ଦୁଇଦିନ ପାଇଁ ରାଜ୍ୟରେ ବିଶେଷ କିଛି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବାବେଳେ ରାଜ୍ୟର କଁା ଭା ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୭ରେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ।

ଏହିସବୁ ଜିଲାରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହେବ। ସେହିପରି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେ.ମି) ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସୋମବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାରେ ଭୀଷଣ ବର୍ଷା (୨୦ ସେ.ମିରୁ ଅଧିକ) ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କି.ମି ଏବଂ ୮୦ କି.ମି ପର୍ଯ୍ୟନ୍ତ ରହିପାରେ । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବର୍ନିଂ ଦିଆଯାଇଛି ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କି.ମିରୁ ୭୦ କି.ମି ପର୍ଯ୍ୟନ୍ତ ବହିବା ନେଇ ଆକଳନ କରାଯାଇଛି। ଏଥିସହ ରାଜ୍ୟର ଅନ୍ୟ ସମସ୍ତ ଜିଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୨୯ ତାରିଖରେ ମଧ୍ୟ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାରେ ଭୀଷଣ ବର୍ଷା ନେଇ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ବର୍ଷା, ପବନ ଲାଗି ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୬ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି । ଏଥିସହ ସମସ୍ତ ବନ୍ଦରଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।












Click it and Unblock the Notifications