Cyclone Montha: ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ; ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ। ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି। ଓଡ଼ିଶା ବାତ୍ୟାରୁ ବର୍ତ୍ତିଯାଇଛି, ଆଦୌ ବିଚଳିତ ହୁଅନ୍ତୁ ନାହିଁ ।

ଓଡ଼ିଶାକୁ ହିଟ୍ କରି ନଥିଲେ ବି ଏ ହେଉଛି ବାତ୍ୟା ମୋନ୍ଥା ପ୍ରଭାବର କିଛି ଚିତ୍ର। ପବନ ଠାରୁ ଅଧିକ ଦୁଃଖ ଦେଇଛି ବର୍ଷା। ସବୁଠି ବେଶି କ୍ଷତି କରିଛି ଚାଷୀକୂଳର। ଛନ ଛନିଆ ଧାନ କିଆରିରେ ଲହଡ଼ି ମାରୁଛି ବର୍ଷା ପାଣି। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ବର୍ଷା ପାଣିରେ ମୁଣ୍ଡ ମାଡ଼ି ଶୋଇ ପଡ଼ିଥିବା ଧାନ ବୁଦାକୁ ଛିଡ଼ା କରିବାକୁ ଚେଷ୍ଟା କରୁଛି ଚାଷୀ। ଆସ୍କାରୁ ନେଇ ଭଦ୍ରକ ବାସୁଦେବପୁର, ପୁରୀ କୃଷ୍ଣପ୍ରସାଦ, ଜଳେଶ୍ୱର ସବୁଠି ସମାନ ସ୍ଥିତି। ଚାଷୀଙ୍କ ଆଶା ସରକାରୀ ସହାୟତାକୁ।
ତେବେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଳ ତାଡ଼କା ସାହି-ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ନିକଟରେ ମାଟି ଅତଡା ଖସିଛି। ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଂଚାୟତର କୋଡ଼ିଏରୁ ଊର୍ଦ୍ଧ୍ବ ଗ୍ରାମର ଯାତାୟତ ବନ୍ଦ ହୋଇଛି। ସେହିଭଳି ଗଜପତିର ରାୟଗଡ ବ୍ଲକ ଏସ.କରଡାସିଂ ପଞ୍ଚାୟତର ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାରୁ ଅନେକ ଗାଁ ମୁଖ୍ୟରାସ୍ତା ଓ ପଞ୍ଚାୟତରୁ ବିଛିନ୍ନ ହୋଇଥିଲା। କିଛି ଅବରୋଧ ପ୍ରଶାସନ କ୍ଲିୟର କରିଥିଲେ ହେଁ ଯାତାୟତ ପୂରାପୂରି ସ୍ୱାଭାବିକ ହୋଇପାରିନାହିଁ ।
ଦୁର୍ବଳ ହୋଇଛି ବାତ୍ୟା ମନ୍ଥା । ଗଭୀର ଅବପାତରୁ ଏବେ ପରିଣତ ହୋଇଛି । ଯାହାଫଳରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ବିଜୁଳି ଘଡଘଡି ଏବଂ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶା ର କିଛି କିଛି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସହ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ସୁନ୍ଦରଗଡ଼, କେଉଁଝର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଏହାସହ ସର୍ବାଧିକ ୪୫ ରୁ ୫୫ ଆବଶ୍ୟକସ୍ଥଳେ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ମଧ୍ୟ ଅନୁଭୂତ ହୋଇଛି ।
ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବର୍ଷର ପ୍ରଭାବ ଦେଖିବାକୁ ମିଳିବ । ଏହାସହ ବିଜୁଳି ଘଡଘଡି ଓ ଝଟକା ପବନ ମଧ୍ୟ ଅନୁଭୂତ ହେବ । ଆସନ୍ତା କାଲି ମଧ୍ୟ ସମାନ ସ୍ଥିତି ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।












Click it and Unblock the Notifications