Cyclone Montha: ବଳ ଗୋଟାଉଛି ବାତ୍ୟା 'ମୋନ୍ଥା', ଆଜି ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ
Cyclone Montha: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ । ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ।
ତେବେ ବାତ୍ଯା 'ମୋନ୍ଥା'ର ସ୍ଥିତି କେତେ ଭୟଙ୍କର ରହିବ, ଏହାର ଗତିପଥ କେଉଁଆଡ଼କୁ ରହିବ ଓ କେଉଁଠି ଏହା ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ 6 ଦିନ ଯାଏଁ ବର୍ଷା ହେବାକୁ ଥିବା ବେଳେ 27ରୁ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । 27, 28 ଓ 29 ତାରିଖରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି 70 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଆଜି ଏସବୁ ଜିଲ୍ଲାକୁ ଆଲର୍ଟ:
ଆଜି ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ବର୍ଷା, ବଜ୍ରପାତ ଓ ଝଡ଼ି ପବନକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ।
ଜଳ ସଂପଦ ବିଭାଗ ପ୍ରସ୍ତୁତି:
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳ ସଂପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟା ଫଳରେ ଲଘୁଚାପ ଜନିତ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଅବବାହିକାରେ ଥିବା ଜଳ ଭଣ୍ଡାର ସ୍ଥିତିକୁ ନିକଟରୁ ଅନୁଧ୍ୟାନ କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଲଗାଣ ବର୍ଷା ଫଳରେ ବିଭିନ୍ନ ଜଳ ଭଣ୍ଡାରରେ ଜଳପତ୍ତନ ପରିମାଣ କେତେ ବୃଦ୍ଧି ଘଟୁଛି, ଏହାର ବାସ୍ତବତାକୁ ଦେଖି ସଠିକ ଆକଳନ କରି ଯୋଜନା ଓ ସୁନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ତଥା ଜଳ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ସ୍ଥିତିରେ ସମସ୍ତ ନଦୀରେ ଜଳସ୍ତର କମ ରହିଛି । ତେଣୁ ସଂପ୍ରତି ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ହେବାର ଆଶଙ୍କା ନାହିଁ ବୋଲି ବୈଠକରେ ଆଲୋଚନା ହୋଇଛି । ତେବେ ସ୍ଥିତିକୁ ଦେଖି ବିଭାଗ ତଥା କ୍ଷେତ୍ର ସ୍ତରରେ ଥିବା ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।












Click it and Unblock the Notifications