ବାତ୍ୟା ମିଗଜୋମ୍: କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସଆରସି
ଭୁବନେଶ୍ୱର: ରାଜ୍ୟରେ ବାତ୍ୟା 'ମିଗଜୋମ୍'ଜନିତ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ ଏସଆରସି । ଚଳିତ ମାସ ୧୨ ତାରିଖ ସୁଦ୍ଧା ଏହି କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଇବାକୁ ସେ କହିଛନ୍ତି । କୃଷି ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ଦ୍ୱାରା ମିଳିତ ଭାବେ ଫଲସ କ୍ଷୟକ୍ଷତି ଆକଳନ କରି ଏକ ନିର୍ଦ୍ଧାରିତ ଫର୍ମାଟରେ ରିପୋର୍ଟ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ କନିଶନର ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ଅନୁସାରେ, ଆଜି ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛି ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ଯାହା ଫଳରେ ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ସର୍ତ୍ତାବଳୀ ଅନୁସାରେ ୩୩ ପ୍ରତିଶତ ବା ତାଠୁ ଅଧିକ ପରିମାଣରେ ଫସଲ ନଷ୍ଟ ହେଲେ ଚାଷୀଙ୍କୁ କୃଷି ଅନପୁଟ ସବସିଡ୍ ପ୍ରଦାନ କରାଯିବ ।

ଏସଆରସିଙ୍କ ପରାମର୍ଶ କ୍ରମେ ଫସଲ କ୍ଷୟକ୍ଷତି ଆକଳନ ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିର ରେକର୍ଡକୁ ଭୁଲେଖ ଦ୍ୱାରା ଯାଞ୍ଚ୍ କରାଯିବ । ଆକଳନ ସମୟରେ କ୍ଷତିଗ୍ରସ୍ତ ଫଲସର କ୍ଷେତର ଜିଓ ଟ୍ୟାଗ୍ ସହ ଟାଇମ୍ ଏବଂ ଫଟୋ ଉଠାଇ କେସ୍ ରେକର୍ଜରେ ସଂରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଚଳିତବର୍ଷ ବନ୍ୟା ଏବଂ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଫସଲ କ୍ଷୟକ୍ଷତିକୁ ସାମିଲ ନକରିବା ପାଇଁ ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି ।
ସୂଚନାଥାଉ ଯେ, ବାତ୍ୟା 'ମିଗଜୋମ୍' ପ୍ରଭାବରେ ଗଞ୍ଜାୟ, ଗଜପତି, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା କହିଛି । ଆଜି ମଧ୍ୟ ରାଜ୍ୟରେ କିଛି କିଛି ସ୍ଥାନରେ ପାଗ କୋହଲିଆ ରହିବା ସହ ବର୍ଷା ଲାଗି ରହିଛି ।












Click it and Unblock the Notifications