ତାଣ୍ଡବ ରଚିଲା ବାତ୍ୟା ‘ମାଣ୍ଡୋସ୍’: ତାମିଲନାଡୁ ଉପକୂଳରେ ହେଲା ମାଡ଼
ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି ।
ଚେନ୍ନାଇ: ତାମିଲନାଡୁରେ ତାଣ୍ଡବ ରଚିଲା ବାତ୍ୟା ମାଣ୍ଡୋସ୍ । ୭୫ କିଲୋମିଟର ଘଣ୍ଟା ପ୍ରତି ବେଗରେ ତାମିଲନାଡୁ ସମୁଦ୍ରକୂଳ ପାର କରିଛି ମାଣ୍ଡୋସ୍ । ପରେ ଏହା କ୍ରମଶଃ ଦୁର୍ବଳ ହୋଇଛି । ଶୁକ୍ରବାର ରାତି ସାଢେ ୧୦ଟାରେ ଚେନ୍ନାଇ ନିକଟ ମାଲାପୁରମ (ମହାବଳିପୁରମ) ଠାରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ମାଣ୍ଡୋସ ।

ମେଣ୍ଡସ୍ ପ୍ରଭାବରେ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବୋହିଛି । ୩ ଘଣ୍ଟା ଭିତରେ ୬୫ରୁ ଅଧିକ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ବର୍ଷା ଯୋଗୁଁ ଜଳବନ୍ଦୀ ସ୍ଥିତି ଦେଖା ଦେଇଛି । ରାତି ସାଢେ ୧ଟାରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା । ଭୋର ସାଢେ ୫ଟା ବେଳକୁ ଦୁର୍ବଳ ହୋଇ ସାରିଥିଲା । ଏହି ସମୟ ପର୍ଯ୍ୟନ୍ତ ଏଠାରେ ୧୧୫.୧ ମିମି ବର୍ଷା ହୋଇଥିଲା ।
ତେବେ ସ୍ଥଳଭାଗ ଛୁଇଁବା ପରେ ମାଣ୍ଡୋସ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଞ୍ଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା ସହ ଜୋରରେ ପବନ ବୋହିଛି । ଚେଙ୍ଗାଲପାଟ୍ଟୁରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିବାରୁ ଲୋକମାନେ ପାୱର କଟର ସମସ୍ୟାରେ ପଡ଼ିଛନ୍ତି। ମାମଲାପୁରମକୁ ଲାଗି ରହିଥିବା କୋଭାଲାମରେ ଶତାଧିକ ମତ୍ସ୍ୟଜୀବୀଙ୍କ ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି। କିଛି ଡଙ୍ଗା କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଆଉ କିଛି ପାଣିରେ ଭାସି ଯାଇଛି। ସମୁଦ୍ର କୂଳରେ ଥିବା ଦୋକାନ ଓ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲା ଗୁଡିକରେ ମୂଷଳାଧାର ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି ।
ସେପଟେ ବାତ୍ୟା ପ୍ରଭାବରେ ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲିଠୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଏଥିସହ ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବା ଆଶା କରାଯାଉଛି। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା। ୧୦ ଡିଗ୍ରୀ ତଳେ ଥିଲା ରାଜ୍ୟର ୭ ସହରର ତାପମାତ୍ରା। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
ମାଣ୍ଡୋସ୍ ପ୍ରଭାବକୁ ଲକ୍ଷ୍ୟ ରଖି ଚେନ୍ନାଇରୁ ୧୩ଟି ଘରୋଇ ଓ ତିନିଟି ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣ ରଦ୍ଦ କରା ଯାଇଥିଲା । ସେହିପରି ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଞ୍ଚିପୁରମ ଆଦି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିଛି ।












Click it and Unblock the Notifications