ଆସୁଛି ବାତ୍ୟା; ଜାଣନ୍ତୁ, କେଉଁ ଜିଲ୍ଲାରେ ହେବ କେତେ ବର୍ଷା-ପବନ ?
ଆସୁଛି ବାତ୍ୟା 'ଜୱାଦ' । ବାତ୍ୟା ହେବା ନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ।
ଭୁବନେଶ୍ୱର: ଆସୁଛି ବାତ୍ୟା 'ଜୱାଦ' । ବାତ୍ୟା ହେବା ନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଓ ୩ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ତେବେ ୪ ତାରିଖରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆକାରରେ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ସମୁଦ୍ରରେ କେନ୍ଦ୍ରୀଭୂତ ହେବ । ଏହାର ପ୍ରଭାବରେ ୩ତାରିଖ ରାତିରୁ ପ୍ରବଳ ବର୍ଷା ହେବ ।

ସେପଟେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ୩ରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର ଓ ଯାଜପୁର। ଗଂଜାମ, ପୁରୀ, ଜଗତସିଂହପୁରର କିଛି ଜାଗାରେ ଅତି ପ୍ରବଳ ବର୍ଷିପାରେ।
ତେବେ ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ। ପବନ ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ବାତ୍ୟା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବନାହିଁ। ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା। ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।












Click it and Unblock the Notifications