ବାତ୍ୟା ଟଳିଲା, ହେଲେ ବର୍ଷା କଲା କଲବଲ: ପାଣିରେ ଭାସିଲା ପାଚିଲା ଧାନ, ଚାଷୀ ମୁଣ୍ଡରେ ଚଡ଼କ
ଟଳିଲା ବାତ୍ୟା ବିପଦ । ହେଲେ ବର୍ଷା କଲା କଲବଲ୍ । ଲଗାଣ ବର୍ଷାରେ ଧାନ ବିଲରେ ଆଣ୍ଠୁଏ ପାଣି । ବର୍ଷା ପାଣିରେ ଭାସୁଛି ସୁନାର ଧାନ । ଚାଷୀ ମୁଣ୍ଡରେ ଏବେ ଚଡ଼କ । ବର୍ଷ ଯାକର ମେହେନତ୍ ଏବେ ପାଣିରେ ଭାସିଗଲା । ତେଣୁ ଏବେ କେବଳ କ୍ଷୟକ୍ଷତି ଭରଣାକୁ ଅପେକ୍ଷା ।
ଭୁବନେଶ୍ୱର: ଟଳିଲା ବାତ୍ୟା ବିପଦ । ହେଲେ ବର୍ଷା କଲା କଲବଲ୍ । ଲଗାଣ ବର୍ଷାରେ ଧାନ ବିଲରେ ଆଣ୍ଠୁଏ ପାଣି । ବର୍ଷା ପାଣିରେ ଭାସୁଛି ସୁନାର ଧାନ । ଚାଷୀ ମୁଣ୍ଡରେ ଏବେ ଚଡ଼କ । ବର୍ଷ ଯାକର ମେହେନତ୍ ଏବେ ପାଣିରେ ଭାସିଗଲା । ତେଣୁ ଏବେ କେବଳ କ୍ଷୟକ୍ଷତି ଭରଣାକୁ ଅପେକ୍ଷା ।

ବତ୍ୟା ଜୱାଦର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜନ ଜିବନ ଅସ୍ତବ୍ୟସ୍ତ କରିପକାଇଛି । ଜିଲ୍ଲାର ମହାକାଳପଡା , ମାର୍ଶାଘାଈ ଏବଂ ଗରଦପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହି ଜଳାର୍ଣ୍ଣବ ପରିସ୍ଥିତି ଦେଖାଦେଇଛି । ଧାନ ଜମିରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ଧାନ ଫସଲ ବୁଡି ରହି ଗଜା ହୋଇଯିବା ସହିତ ନଷ୍ଟ ହେବାଭଳି ପରିସ୍ଥିତି ଦେଖାଦେଇଛି । ଏହା ସହିତ ପନିପରିବା ଫସଲ ସହିତ ଡାଲି ଜାତୀୟ ବିରି, ମୁଗ ଏବଂ କୋଳଥ ପ୍ରଭୁତି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।
ସେହିପରି ବର୍ଷା ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ପୁରୀ ଜିଲ୍ଲାର ଚାଷୀ । ପାଣିରେ ଭାସୁଛି କୃଷକର ପରିଶ୍ରମ । ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଚାଷୀମାନେ ବିଲରୁ ଧାନ ଉଠାଇ ପାରିନଥିବା ବେଳେ, ଅଧିକାଂଶ ବିଲରେ ପାଣି ଜମିରହିବା ଯୋଗୁଁ ଗଜା ହେବାର ଆଶଙ୍କା ରହିଛି । ନିମାପଡ଼ା, ଗୋପ ଓ ପିପିଲି ବ୍ଲକରେ ଧାନ ସହ ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ନୟାଗଡ଼ରେ ବର୍ଷା ଜାରି ରହିଛି । ବର୍ଷାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ଧାନ ଚାଷୀ । ଧାନ ବିଲରେ ପବନ ବର୍ଷା ଯୋଗୁଁ ଶୋଇ ରହିଛି ଧାନ ଚାଷ । ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।
ଏତ୍ ବ୍ୟତିତ ଭଦ୍ରକ, କେନ୍ଦୁଝର, ଗଞ୍ଜାମ, ଗଜପତି, ଜଗତସିଂହପୁର ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ଖରିଫ ଧାନ ପାଣିରେ ବତୁରି ନଷ୍ଟ ହେବାକୁ ବସିଲାଣି । ସେପଟେ ଗଞ୍ଜାମ ଜିଲ୍ଲା ଆସିକାରେ ଧାନ କଟା ସରିଥିଲେ ମଧ୍ୟ ବେଙ୍ଗଳା ନହୋଇ ପଡ଼ି ରହିଛି । ବର୍ଷା ଦାଉରୁ ଏହାକୁ ବଞ୍ଚାଇବାକୁ ଜମିରେ ପାଲ ପକାଇ ସାଇତି ରଖିଛନ୍ତି ଚାଷୀ ।

ସେପଟେ, ବାତ୍ୟା ଟଳି ଥିଲେ ବି ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଜିଲ୍ଲାରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷତଃ ପାଚିଲା ଧାନ ନଷ୍ଟ ହେବା ସୁନିଶ୍ଚିତ। ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ପାଚିଲା ଧାନ ଅମଳ ହୋଇ ସାରିଛି। ତେବେ ଆଉ ୩୦ ପ୍ରତିଶତ ଧାନ ଅମଳ କରିବାକୁ ଥିବା ବେଳେ ବାତ୍ୟା ଆସିଛି। ୩-୪ ଦିନ ହେଲା ଚାଷୀମାନେ ତରବରିଆ ଭାବେ ପାଚିଲା ଧାନ କାଟିବାରେ ଲାଗିଛନ୍ତି । ସୁରକ୍ଷିତ ସ୍ଥାନ ଅଭାବରୁ କଟାଯାଇଥିବା ପାଚିଲା ଧାନ ବିଲରେ ପଡିଛି । ବର୍ଷା ଯୋଗୁ ବିଲରେ ପାଣି ଜମି ରହିଛି । ଏଥି ଯୋଗୁ ପାଚିଲା ଧାନ ଭିଜିଯାଇଛି ।
ସେପଟେ ଅମଳ ହୋଇଥିବା ଧାନ ମଧ୍ୟ ଭିଜିଛି । ସବୁ ଚାଷୀଙ୍କର ଖଳା ନଥିବାରୁ କିଲ ବାଡିରେ ତ ଆଉ କିଏ ବାରଣ୍ଡାରେ ଧାନ ଗଦା କରି ଦେଇଥିଲେ । ଅସୁରକ୍ଷିତ ଭାବେ ପଡିଥିବା ଧାନ ବର୍ଷାରେ ଭିଜିଯାଇଛି । ଯଦି ୨-୩ ଦିନ ମଧ୍ୟରେ ଖରା ନ ହୁଏ ତାହା ହେଲେ ଭିଜା ଧାନ ଗଜା ହେବାର ଆଶଙ୍କା ରହିଛି । ସେପଟେ ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଏସଆରସି ।












Click it and Unblock the Notifications