୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୮ରେ ଅବପାତ !

ଭୁବନେଶ୍ୱର: ଆଗାମୀ ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ତାରିଖ ବେଳକୁ ଏହି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ୮ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଥିବାବେଳେ ଆହୁରି ଘନୀଭୂତ ହେବା ପାଇଁ ପାରିପାର୍ଶ୍ୱିକ ସ୍ତିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଏବଂ ତିବ୍ରତା ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ ।
ସେହିପରି ମେ' ୧୨ ତାରିଖରୁ ୧୪ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏନଡବ୍ଲୁଏଫ୍ ମଡେଲ୍ ଆକଳନ କରିଛନ୍ତି । ଏହି ମଡେଲଗୁଡିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ଯେ, ୬ ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ୱିଣ୍ତର ମଡେଲ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଟ୍ରାକ ଦେଇନାହାନ୍ତି ।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନା, ତାହା ଏଯାଏ ସ୍ପଷ୍ଟ ହୋଇନି। ସେପଟେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ । ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇପାରେ । ଗତ ୨-୩ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୮ ଡିଗ୍ରୀ କମ ରହିଥିଲା ।












Click it and Unblock the Notifications