Cyclone fengal: ସୁଦୃଶ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଝିପିଝିପି ବର୍ଷା
Cyclone fengal: ବାତ୍ୟା 'ଫେଙ୍ଗାଲ' ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି । ତେବେ ଏହାର ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫେଙ୍ଗାଲ ପ୍ରଭାବରେ କେରଳ ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି ।
ଦୁର୍ବଳ ହେଉଛି ବାତ୍ୟା:
ବାତ୍ୟା 'ଫେଙ୍ଗାଲ' ବର୍ତ୍ତମାନ ତାଲିମନାଡୁ ଓ ପଣ୍ଡିଚେରୀର ପଶ୍ଚିମ ଆଡକୁ ଗତି କରି ଦୁର୍ବଳ ହେବା ପରେ ଗଭୀର ଅବପାତରେ ପରିଣତ ହୋଇଥିଲା । ପରେ ଏହା ଆଜି ସକାଳ ୫ଟା ୩୦ ମନିଟରେ ୱେଲମାର୍କଡ ଲୋ ପ୍ରେସର ବା ସୁଦୃଶ ଲଘୁଚାପରେ (Well Marked Low Pressure) ପରିଣତ ହୋଇଛି । ୱେଲ ମାର୍କଡ ଲଘୁଚାପରେ ପରିଣତ ହେବା ପରେ କ୍ରମଶଃ ତାମିଲନାଡୁର ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳକୁ ମୁହାଁଉଛି ।

ଭାରତୀୟ ପାଣି୍ପାଗ ବିଭାଗ-IMDର ସୂଚନା ଅନୁସାରେ, ଏହା ଆସନ୍ତାକାଲି ଦକ୍ଷିଣ-ପୂର୍ବ ଦିଗକୁ ଅଗ୍ରସର ହୋଇ ଲଘୁଚାପରେ ପରିଣତ ହେବ । ପରେ ଉତ୍ତର କେରଳ- କର୍ଣ୍ଣାଟକ ଉପକୂଳର ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ ରୂପ ନେବ ।
ଓଡ଼ିଶାରେ ବର୍ଷା :
ବାତ୍ୟା 'ଫେଙ୍ଗାଲ' ପ୍ରଭାବରେ ଗତକାଲିଠାରୁ (ରବିବାର, ଡିସେମ୍ବର ୧) ରାଜ୍ୟରେ ଝିପି ଝିପି ବର୍ଷା ଲାଗି ରହିଛି । ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ବର ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀଙ୍କ ସୂଚନା ଅନୁସାରେ, ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରେୁ ଓଡ଼ିଶା ମଧ୍ୟକୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି ।
ଆସନ୍ତାକାଲି ଏସବୁ ଜିଲ୍ଲାରେ ବର୍ଷା :
ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ଡିସେମ୍ବର ୩ ତାରିଖରେ ଗଞ୍ଜାମ, ଗଜପତି , କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ହାଲୁକ ବ ର୍ଷା ହେବାର ସମ୍ଭାବନା ରହିଛି ।
୪ ତାରିଖରେ ଏହି ସ୍ଥାନରେ ବର୍ଷା:
ଅନ୍ୟପକ୍ଷରେ ଆସନ୍ତା ବୁଧବାର ଡିସେମ୍ବର ୪ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।












Click it and Unblock the Notifications