ସମୁଦ୍ର ମଧ୍ୟରେ ଦାନା ବାନ୍ଧୁଛି ‘ଦାନା': ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି, କେଉଁଠି କରିବ ଲ୍ୟାଣ୍ଡଫଲ୍ ?
ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ।
ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ 'ଦାନା' ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ 'ଦାନା' ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି। ଆରବୀ ଭାଷାରେ 'ଦାନା'ର ଅର୍ଥ ନିଖୁଣ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି।

ବିପଦସଙ୍କୁଳ କୋଠା ପ୍ରଭାବିତ, ମାଟି ଅତଡ଼ା ଖସିବା ପରି ସମସ୍ୟା ଉପୁଜିପାରେ। ପବନ ହେବାକୁ ଥିବାରୁ ଉଦ୍ୟାନ ଓ ଧାନ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପରାମର୍ଶ ମଧ୍ୟ ଦିଆଯାଇଛି। ରେଳ ଓ ସଡ଼କ ପରିବହନକୁ ନିୟନ୍ତ୍ରଣ କରିବା, ଘରୁ ବାହାରିବା ପୂର୍ବରୁ ପାଣିପାଗ ସ୍ଥିତି ଦେଖିବା ସହ ଟ୍ରାଫିକ୍ ଯାଞ୍ଚ, ଯଦି କୌଣସି ଟ୍ରାଫିକ୍ କଟକଣା ଲାଗୁ ହୋଇଥିବ ତାହାକୁ ପାଳନ କରିବା, ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳଠାରୁ ଦୂରେଇ ରହିବା ଏବଂ ବିପଦସଙ୍କୁଳ କୋଠା ଘରେ ନ ରହିବାକୁ କୁହାଯାଇଛି।
ସେପଟେ ଅଧିକାଂଶ ବିଦେଶୀ ମଡେଲ୍ ପୂର୍ବାନୁମାନ କରିଛନ୍ତି ଯେ ବାତ୍ୟା ଓଡ଼ିଶା ଛୁଇଁବ । ୟୁରୋପିଆନ୍ ସେଣ୍ଟର ଫର୍ ମିଡିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ(ଇସିଏମ୍ଡବ୍ଲୁଇ)ର ଆକଳନ କହୁଛି ଏହି ବାତ୍ୟା ୨୫ ତାରିଖ ବେଳକୁ ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ । ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା ଆଇସିଓଏନ୍ କହିଛି ଯେ ୨୪ କିମ୍ବା ୨୫ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା। ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହେବ। ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ସଂସ୍ଥା ଦର୍ଶାଇଛି।












Click it and Unblock the Notifications