ଉପକୂଳ ମୁହାଁ ‘ଦାନା’, ଶ୍ରୀମନ୍ଦିରରେ ସର୍ତ୍ତକତାମୂଳକ ପଦକ୍ଷେପ
ପୁରୀ:ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା 'ଦାନା' । ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି 'ଦାନା' । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ଗତିକରି ଭିତରକନିକା ଏବଂ ଧାମରା ମଧ୍ୟ ଦେଇ ସ୍ଥଳଭାଗରେ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୨୪ ତାରିଖରେ ମୟୂରଭଞ୍ଜ, କଟକ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ଏହିସବୁ ଜିଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ବାତ୍ୟା 'ଦାନା' ପାଇଁ ଶ୍ରୀମନ୍ଦିର ପ୍ରଶାସନ ସର୍ତ୍ତକତାମୂଳକ ପଦକ୍ଷେପ ନେଇଛି। ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି କରିଛି। ଆନନ୍ଦ ବଜାରରୁ ଅସ୍ଥାୟୀ ଟିଣ ବାହାର କରି ଦିଆଯାଇଛି। ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ସମ୍ମୁଖରୁ ଏଲ୍ଇଡି ସ୍କ୍ରିନ୍ ଅପସାରଣ କରିଛି।
କୋଇଲି ବୈକୁଣ୍ଠ ପରିସର ଗୃହରେ ଟିଣ ସେଟ୍ ଛାତ ଉପରେ ବାଲି ବସ୍ତା ଦିଆଯାଇଛି। ଭକ୍ତଙ୍କ ସୁବିଧା ପାଇଁ ଧାଡ଼ି ବ୍ୟବସ୍ଥା ବାରିକେଡ୍ ଉପର ଛାତ କଢ଼ାଯାଇଛି। ସିଂହଦ୍ବାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପରେ ପାଲ କରାଯାଇଛି। ସିସିଟିଭି ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି।












Click it and Unblock the Notifications