cyclone dana : ଭିତରକନିକାରେ ଉଠିଲା ଜୁଆର, ପବନର ବେଗ ୧୦୦ରୁ ୧୨୦ କିମି
ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା 'ଦାନା' ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭିତରକନିକା ଓ ଧାମରା ମଝିରେ ଏହା ଲ୍ୟାଣ୍ଡଫଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା କିଛି ଘଣ୍ଟା ଧରି ଜାରି ରହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଛି।
ସମୁଦ୍ର ଅଶାନ୍ତ ରହିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ପବନର ବେଗ ଘଣ୍ଟା ପିଛା ପ୍ରାୟ ୧୦୦କିମି ରହିଛି। ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ । କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡ଼ି କୂଳରେ ପିଟି ହେଉଛି । ବାତ୍ୟା ପ୍ରଭାବରେ ଭିତରକନିକାରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ବହୁଛି ।

ଭିତରକନିକା ତାଳଚୁଆ ଜେଟିରେ ପବନର ବେଗ ବଢିବାରେ ଲାଗିଛି । ସମୁଦ୍ର ପାଣି କୂଳ ଲଙ୍ଘିବାରେ ଲାଗିଛି । ଜେଟି ନିକଟରେ ସମୁଦ୍ର କୂଳ ଖାଇବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଘରର ପଛ ପଟେ ସମୁଦ୍ର କୂଳ ଖାଇସାରିଛି । ଲୁଣା ପାଣି ଚାଷ ଜମିରେ ପଶିଛି । ଏବେ ତାଳଚୁଆରେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି , ଏପରି କି ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି ।












Click it and Unblock the Notifications