ବାତ୍ୟା ଦାନା: ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର: ଦଳମତ ନିର୍ବିଶେଷରେ ଆଗେଇ ଆସିବାକୁ କହିଲେ ମନମୋହନ
ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା। ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ। ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସନ୍ତୁ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଏହି ସମୟରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବାତ୍ୟା ସମୟରେ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସେବା, ସହାୟତା, ରିଲିଫ୍ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ମନମୋହନ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଛନ୍ତି ା

ଦାନା ପ୍ରଭାବରେ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, କେନ୍ଦୁଝର, ମୟୁରଭଞ୍ଜ ସମେତ ରାଜ୍ୟର ଅନ୍ୟ କେତେକ ଜିଲା ପ୍ରଭାବିତ ହୋଇପାରେ। ଏହା ପୂର୍ବରୁ ଜନସାଧାରଣ ଓ ପ୍ରାଣୀ ସମ୍ପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ। ଏହାସହ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିବେ। ସେହିପରି ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ଭାଜପା କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବାକୁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆହ୍ବାନ ଦେଇଛନ୍ତି।












Click it and Unblock the Notifications