Cyclone dana: ଆଶା କର୍ମୀ ଶିବାନୀ ମଣ୍ଡଳଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ଶିବାନୀଙ୍କୁ ଫୋନ୍ କରି କଥା ହେଲେ ମୋହନ ମାଝୀ
ଆଶା କର୍ମୀ ଶିବାନୀ ମଣ୍ଡଳଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ। ଶିବାନୀଙ୍କୁ ଫୋନ୍ କରି କଥା ହେଲେ ମୋହନ ମାଝୀ। କାଲିର ସାହସିକ ପଦକ୍ଷେପ ପାଇଁ ଶିବାନୀଙ୍କୁ ପ୍ରଶଂସା କଲେ । ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି । ୯ ଜଣ ଲୋକଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳ ନେଇଥିଲେ ଶିବାନୀ।
ମାନବିକତା ଦେଖାଇଲେ ଆଶାକର୍ମୀ । ନିଜ କାନ୍ଧରେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ଆଣିଲେ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମର ଜଣେ ବୃଦ୍ଧ ମହିଳାଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ । ଦେବଦୁତ ସାଜି ଶିବାନୀ ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି ।

ଏହି ଖବର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଶିବାନୀ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଦେଇଛି ।
କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିଲେ। ଲୋକଙ୍କ ଜୀବନ ରକ୍ଷା ପାଇଁ ସ୍ଥାନାନ୍ତରଣ ସମୟରେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଉଦାହରଣୀୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍ ଯୋଗେ ତାଙ୍କ ସହ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସାକରିବା ସହିତ କହିଛନ୍ତି ଯେ ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି। ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ।
ମୁଖ୍ୟମନ୍ତ୍ରୀ ଏହି ସମୟରେ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଛନ୍ତି। ତାଙ୍କର ଘର ନଥିବାରୁ ଟେଲିଫୋନ୍ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।












Click it and Unblock the Notifications