ବାତ୍ୟା ଦାନା: ପାରାଦୀପଠାରୁ ୭୦ କିମି ଦୂରରେ ଦାନା, ଧାମରା ଠାରୁ ୯୦ କିମି ଦୂରରେ
ସାମୁଦ୍ରିକ ଝଡ଼ 'ଦାନା' କୂଳଆଡକୁ ମାଡି ଆସୁଥିବା ବେଳେ ଲ୍ୟାଣ୍ଡଫଲ ପ୍ରକ୍ରିୟାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବାତ୍ୟା ପାରାଦୀପଠାରୁ ୭୦ କିମି ଦୂରରେ ରହିଥିବା ବେଳେ ଧାମରା ଠାରୁ ୯୦ କିମି ଦୂରରେ ରହିଛି। ଏପରିକି ଘଣ୍ଟାକୁ ୧୫ କି.ମି. ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା।ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ମ୍ୟାପରେ ବାତ୍ୟା ଭିତରକନିକା ଦେଇ ଯାଉଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ, ଗୁରୁବାର ସକାଳେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ବର୍ତ୍ତମାନ ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ବତାସର ବେଗ ବଢ଼ିବାରେ ଲାଗିଛି l ବାତ୍ୟା ପ୍ରଭାବରେ ବାଲେଶ୍ୱର ଉପକୂଳ ସମୁଦ୍ର ଅଶାନ୍ତ ହୋଇ ଉତ୍ତାଳ ଢେଉ କୂଳ ଆଡକୁ ମାଡିଆସି କୂଳ ତଟସୁରକ୍ଷା ଉଚ୍ଚ ପଥର ବନ୍ଧରେ ମାଡ କରୁଛି l ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ଲ୍ୟାଣ୍ଡଫଲ ବେଳେ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି। ଏପରିକି ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଟିଣ ଘର, ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଏବଂ ଭଦ୍ରକରେ ବାତ୍ୟାରେ ଅଧିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।












Click it and Unblock the Notifications