ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା: ସାରା ରାଜ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା
ଆରବ ସାଗର ପଟୁ ଗୁଜରାଟକୁ ମାଡ଼ି ଆସୁଛି ସାମୁଦିକ ଝଡ଼ 'ଆସନା'। ଏହାର ପ୍ରଭାବରେ ସାରା ରାଜ୍ୟରେ ୫ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆଶଙ୍କା କରାଯାଉଛି ଯେ, ଏହି ସାମୁଦ୍ରିକ ଝଡ଼ ସୌରାଷ୍ଟ୍ର ଏବଂ କଚ୍ଚ ଦେଇ ଅତିକ୍ରମ କରିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସ୍ଥଳଭାଗ ମୁହାଁ ଗତି କରିବ ସାମୁଦ୍ରିକ ଝଡ଼ 'ଆସନା'।
ଏଥିପାଇଁ ଅଧିକ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଗୁଜରାଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଆଲର୍ଟ ଜାରି କରାଯାଇଛି। ଭଡ଼ଦୋରା, ଭରୁଚ, ଆନନ୍ଦ, ନର୍ମଦା, ପଞ୍ଚମହଲ, ଦାହୋଦ, ଛୋଟା ଉଦୟପୁରରେ ଆଗାମୀ କିଛି ଦିନ ଯାଏ ବର୍ଷା ଜାରି ରହିବ ।

ଗତ କିଛି ଦିନ ହେବ ପୂର୍ବରୁ ଗୁଜରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଥିଲାଗି ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ଗୁଜରାଟରେ ଏବାଏ ୩୬ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୨ଶହରୁ ଅଧିକ ବିପନ୍ନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଉଦ୍ଧାର କରାଯାଇଛି।
ସେହିପରି ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିଛି। ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବର୍ଷା ଲାଗିରହିଛି। ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମାଲକାନଗିରି ଜିଲ୍ଲାର ପଡ଼ିଆରେ ସର୍ବାଧିକ ୧୪୦ ମିମି ବର୍ଷା ହୋଇଛି। ସୋମବାର ଯାଏଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ତିନି ଦିନ ଓଡ଼ିଶାରେ ସେଭଳି ବର୍ଷା ନ ଥିବା ବେଳେ ୫ ତାରିଖଠାରୁ ପୁଣି ବର୍ଷା ବଢ଼ିବ। ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।












Click it and Unblock the Notifications