Cuttack Curfew: ସକାଳୁ ସକାଳୁ କଟକରେ କର୍ଫ୍ୟୁ କଡ଼ାକଡ଼ି ଭାବେ ଲାଗୁ, ପଇଁତରା ମାରୁଛି ପୋଲିସ
ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ। ଭସାଣ ବେଳେ ଗଣ୍ଡଗୋଳରୁ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବାତିଲ୍ କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ବିଭାଗ । CMC, CDA ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି।
ସୋସିଆଲ୍ ମିଡିଆ ଉପରେ ଲାଗିଛି କଟକଣା । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍, ସ୍ନାପଟାପ୍, ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ ବ୍ୟାନ୍ ହୋଇଛି । ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ଥିତି ସ୍ବାଭାବିକ ହେଉଛି । ସ୍ଥିତିକୁ ଦେଖି ଇଣ୍ଟରନେଟ ବନ୍ଦ ପାଇଁ କହିଥିଲୁ, ତାହା ଲାଗୁ ହୋଇଛି । ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ, ଦେବଦତ୍ତ ସିଂ । କର୍ଫ୍ୟୁ ଲାଗିଥିବା ଅଞ୍ଚଳ ଗୁଡ଼ିକ ହେଲା ଦରଘା ବଜାର ଥାନା, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ ଥାନା, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ସଦର ଥାନା, ମାଲଗୋଦାମ, ବାଦାମବାଡ଼ି, ସଦର, ଜଗତପୁର ଓ ବୟାଳିଶି ମୌଜା ଅଞ୍ଚଳ ।

ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି କମିଶନର । ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ । ଅନ୍ୟପଟେ ଗଣ୍ଡଗୋଳ ଘଟଣାରେ କାହାର ମୃତ୍ୟୁ ହୋଇନଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଗୁଜବଠୁ ଦୂରେଇ ରହି ପୋଲିସର ତଥ୍ୟ ଉପରେ ବିଶ୍ବାସ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା'ପରେ ରବିବାର ବଜ୍ରକବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶ ମୌଜା ଓ ସଦର ଥାନା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛି। ଏହି ସମୟରେ କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅପିଲ କରିଛନ୍ତି। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର, ହେଲେ କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି। ତେବେ କଟକର ଗୌରବକୁ ଅକ୍ଷୂଣ୍ଣ ରଖିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।












Click it and Unblock the Notifications