କଟକ ବକ୍ସ ଡ୍ରେନ୍ ଟ୍ରାଜେଡ଼ି: କଟକ ମେୟର ଓ କମିଶନରଙ୍କୁ ଘେରିଗଲେ ସ୍ଥାନୀୟ ଲୋକେ
କଟକ: କଟକ କେଶରପୁରରେ ଵକ୍ସ ଡ୍ରେନ କାମ ଚାଲିଥିବା ସ୍ଥାନରେ ଦୁର୍ଘଟଣା ଘଟି ଜଣେ ନାବାଳିକା ଏନ୍ ମୋହିନି ଦାସଙ୍କ ଗତକାଲି ମୃତ୍ୟୁ ଘଟିଥିଲା । ଆଜି ଘଟଣା ସ୍ଥଳରେ ପହଞ୍ଚିଥିଲେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ । ପରିବାର ଲୋକଙ୍କ ସହ କଥା ହେବା ପରେ ସମବେଦନା ଜ୍ଞାପନ କରିଥିଲେ ।
ଏହି ସମୟରେ ଏହି ଅସନ୍ତୋଷର ନିଆଁ ଦେଖିବାକୁ ମିଳିଥିଲା । ମେୟର ଓ ସିଏମସି କମିଶନରଙ୍କୁ ଘେରିଥିଲେ ଲୋକେ । ଜାଇକା କାମରେ ଆଉ କେତେ ଜୀବନ ଗଲେ ପ୍ରଶାସନ ଚେତିବ ବୋଲି ପ୍ରଶ୍ନ କରିଥିଲେ ଏଠାରେ ଉପସ୍ଥିତ କଂଗ୍ରେସ ନେତା ଓ ବିରୋଧୀ ଦଳର କର୍ପୋରେଟର ।

ଦୀର୍ଘ ସମୟ ପରେ ଏହି ସ୍ଥାନରୁ ମୁକୁଳି ପରିବାର ଲୋକଙ୍କୁ ଭେଟିଥିଲେ ମେୟର ଓ କମିଶନର। ଏହି ଘଟଣା ନିମନ୍ତେ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ମେୟର ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଘଟଣାର ତଦନ୍ତ ସହ ଯେମିତି ଏପରି ଘଟଣାର ପୁନରାବୃତ୍ତି ନଘଟେ, ସେଥିପ୍ରତି ସବୁ ପଦକ୍ଷେପ ନିଆଯିବ ବୋଲି ମେୟର କହିଥିଲେ।
ଅନ୍ୟପଟେ ନାବାଳିକା ମୃତ୍ୟୁ ଘଟଣାରେ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ନେଇ କହିଥିଲେ କଟକ ମେୟର ସୁବାସ ସିଂହ। ଏହାଛଡ଼ା ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ଡାକି ବୈଠକ କରିଥିଲେ କଟକ ମେୟର। କଟକ ସହରରେ ସବୁ ନିର୍ମାଣାଧୀନ ସ୍ଥାନରେ ସୂଚନା ଫଳକ ବ୍ୟାରିକେଡ଼ ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେ କହିଛନ୍ତି, ଜାଇକା କାମ ହେଉଥିବା ସ୍ଥାନମାନଙ୍କରେ ସୂଚନା ଫଳକ ଲଗାଇବା ଓ କେହି ଯେପରି ଆହତ ନ ହେବେ ସେଥିପାଇଁ କାମ ଚାଲିଥିବା ସ୍ଥାନ ଚାରିପଟେ ବ୍ୟାରିକେଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟ ସ୍ଥାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସୁରକ୍ଷା କର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର କହିଛନ୍ତି ।
ସେପଟେ ନାବାଳିକା ମରଶରୀର ଘରେ ପହଞ୍ଚିବା ପରେ ଶୋକାକୂଳ ହୋଇପଡ଼ିଛି ପରିବେଶ । ଘର ଲୋକ ଝିଅର ମୃତଦେହ ଦେଖିବା ପରେ ମିୟମାଣ ହୋଇ ପଡ଼ିଛନ୍ତି । ସାରା ଅଞ୍ଚଳରେ ଏବେ ଲୁହ ଓ କାନ୍ଧର ବିଭୀଷିକା । ଝିଅକୁ ବାହୁନି ବାହୁନି ପୂରା ପରିବାର କାନ୍ଦୁଥିବା ଦେଖିବାକୁ ମିଳିଛି ।
ସୂଚନାଥାଉକି, ଗତକାଲି କେଶରପୁରରେ ନିର୍ମାଣାଧୀନ ଡ୍ରେନରେ ଫସି ଏମ୍ ମୋହିନୀଙ୍କ ଓ ଏହାର ପୂର୍ବଦିନ ତାଳଦଣ୍ଡା କେନାଲରେ କାର ଖସି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଶାସନକୁ ଘେରିଛନ୍ତି ବିରୋଧୀ।












Click it and Unblock the Notifications