ସମ୍ବଲପୁରରେ ଆହୁରି କୋହଳ ହେଲା କର୍ଫ୍ୟୁ: ୧ ଘଣ୍ଟା ବୃଦ୍ଧି ପାଇଲା ସମୟ, ଜାଣନ୍ତୁ କେତେ ମିଳିବ ଇଣ୍ଟରନେଟ୍ ସେବା ?
ସମ୍ବଲପୁର: ଆହୁରି କୋହଳ ହେଲା କର୍ଫ୍ୟୁ । ସମ୍ବଲପୁର ସହରରେ ଆଜିଠୁ କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି । ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୧ ଘଣ୍ଟିଆ କର୍ଫ୍ୟୁ କୋହଳ ନିର୍ଘଣ୍ଟ ଆଜିଠୁ ୧ ଘଣ୍ଟା ବୃଦ୍ଧି କରାଯାଇଛି ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କଣିପାରିବେ । ହେଲେ ସଂଧ୍ୟା ୬ ପରଠାରୁ ବାହାରକୁ ମନା ରହିବ । ଦୋକାନ, ବଜାର, କାର୍ଯ୍ୟାଳୟ ଆଦି ଦିନବେଳା ଖୋଲିବ ଓ ସଂଧ୍ୟାରେ ବନ୍ଦ ରହିବ ।

ଅପରପକ୍ଷରେ ସହରରେ ଇଣ୍ଟରନେଟ୍ ବନ୍ଦ ହେବା କାରଣରୁ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଯେଉଁମାନେ ଅନଲାଇନରେ କାମ କରନ୍ତି, ପାଠ ପଢ଼ନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ନେଟୱର୍କ ଖୋଜି ଖୋଜି ବରଗଡରେ ପହଞ୍ଚିଛନ୍ତି ତ କିଏ ଝାରସୁଗୁଡା ସୀମାନ୍ତ ଗଛମୂଳରେ ବସି କାମ କରୁଛନ୍ତି ।
ତେବେ ଇଣ୍ଟର୍ନେଟ୍ କଟକଣା ଗୁରୁବାରଠାରୁ କିଛି ମାତ୍ରାରେ କୋହଳ ହୋଇଛି । ଗୁରୁବାରଠାରୁ ଦିନ ୧୦ଟାରୁ ସଂଧ୍ୟା ୫ଟା ଯାଏ ଜିଲ୍ଲାରେ ସମସ୍ତ ଲିଜ୍ ଲାଇନ୍ ଓ ବ୍ରଡ୍ବ୍ୟାଣ୍ଡ ସେବା ଉପଲବ୍ଧ ହୋଇଛି । ଅର୍ଥାତ୍ ଯେଉଁମାନଙ୍କ ନିକଟରେ ବ୍ରଡ୍ବ୍ୟାଣ୍ଡ ବା ଲିଜ୍ ଲାଇନ୍ ଅଛି, ସେମାନେ ଇଣ୍ଟର୍ନେଟ୍ ପାଇ ପାରିଛନ୍ତି । ମୁଖ୍ୟତଃ ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡ଼ିକର ସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ହେଲେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ପୂର୍ବ ଭଳି ବନ୍ଦ ରହିଛି । ଶୁକ୍ରବାରଠାରୁ ଇଣ୍ଟର୍ନେଟ୍ କଟକଣା ଆଉ କିଛି କୋହଳ ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଇଦ୍ ଥିବାରୁ ଏହି ଉତ୍ସବ ପରେ ଯାଇ ଇଣ୍ଟର୍ନେଟ୍ ବ୍ୟବହାର ସଂପୂର୍ଣ୍ଣ ନିୟମିତ ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications