ଧୀରେଧୀରେ ସଂପ୍ରସାରିତ ହେଉଛି କୋଭିଡ-୧୯; ରାଜ୍ୟର ୧୨ ଜିଲ୍ଲାକୁ କରୋନା
କୋଭିଡ-୧୯ ଧୀରେଧୀରେ ସଂପ୍ରସାରିତ ହେଉଛି । ରାଜ୍ୟର ୧୨ ଜିଲ୍ଲାକୁ କରୋନା ମାଡ଼ିସାରିଛି। ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ବି କୋଭିଡ ପଜିଟିଭ ଚିହ୍ନଟ ହୋଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରୁ ଚିହ୍ନଟ ହୋଇଥିବା ମୋଟ ୫୬ କରୋନା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରି କଟକରୁ ୧୮ ଜଣ ପଜିଟିଭ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ଵର, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର, ଅନୁଗୁଳ, ବରଗଡ଼, କନ୍ଧମାଳ, ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି।

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କେରଳରେ ସର୍ବାଧିକ ୧,୯୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳ ପରେ ପରେ ଗୁଜୁରାଟ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଆଦିରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି।
ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ସେହିପରି ସୋମବାର ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ ୩୬ଜଣ ସକ୍ରିୟ କୋଭିଡ ରୋଗୀ ଅଛନ୍ତି । କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବା ଉଚିତ୍ ବୋଲି ସେ କହିଛନ୍ତି। ନୂତନ ଷ୍ଟ୍ରେନ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications