ଆସନ୍ତାକାଲି ଭୋଟ ଗଣତି: ଷ୍ଟ୍ରଙ୍ଗ ରୁମ ବାହାରେ କଡ଼ା ପହରା
ଆସନ୍ତାକାଲି ଭୋଟ ଗଣତି। ସାମନାକୁ ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ। କାହାକୁ ଜନତା ମୁକୁଟ ପିନ୍ଧାଇବେ ଓ କାହାର ଆଶା ଆଶାରେ ରହିଯିବ ତାହା କାଲି ସ୍ପଷ୍ଟ ହୋଇଯିବ ।
ଏହା ପୂର୍ବରୁ ରାଜ୍ୟର ୬୯ଟି ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ୍ ଓ ଭିଭିପାଟ୍। ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍। ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି ପଇଁତରା ମାରୁଛନ୍ତି ପୁଲିସ ।

ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ। ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୁଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ ଦାୟିତ୍ୱରେ ରହିଛନ୍ତି।
ବିଧାନସଭାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ । ଓଡ଼ିଶା ବିଧାନସଭା ଆସନକୁ ନେଇ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ୧୪୭ ବିଧାନସଭା ଆସନରୁ ବିପେି ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି । ସେହିପରି ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ । କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି ।
ସୂଚନାଯୋଗ୍ୟ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ଭୋଟ୍ ହାର ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ୪୨ ପ୍ରତିଶତ ଲେଖାଏଁ ମିଳିପାରେ । ସେହିପରି ସର୍ଭେ ସଂସ୍ଥା କହିଛି ଯେ, ରାଜ୍ୟର ୧୩ ପ୍ରତିଶତ ଲୋକ ପରିବର୍ତ୍ତନ ଚାହିଁଛନ୍ତି । ଏଥି ପାଇଁ ସେମାନେ ମତଦାନ କରିଛନ୍ତି । ଓଡ଼ିଶାର ଭୋଟିଂ ପ୍ରତିଶତ ଭୌଗଳିକ ଦୃଷ୍ଟିକୋଣରୁ ହୋଇଥାଏ ।
ବିଜେପି ଗ୍ରାମାଞ୍ଚଳରେ ୪୨ ପ୍ରତିଶତ ଭୋଟ୍ ଓ ସହରାଞ୍ଚଳରେ ୪୦ ପ୍ରତିଶତ ପାଇପାରେ । ସେହିପରି ଗ୍ରାମାଞ୍ଚଳରେ ବିଜେଡି ୪୨ ଓ ସହରାଞ୍ଚଳରେ ୪୪ ପ୍ରତିଶତ ଭୋଟ୍ ପାଇପାରେ । କଂଗ୍ରେସକୁ ଗ୍ରାମାଞ୍ଚଳରେ ୧୨ ପ୍ରତିଶତ ଓ ସହରାଞ୍ଚଳରେ ୧୧ ପ୍ରତିଶତ ଭୋଟ୍ ମିଳିଥିବା ଆକଳନ କରିଛି ।












Click it and Unblock the Notifications