ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ'; ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ଙ୍କୁ ଚିଠି
ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ'। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ଙ୍କୁ ଚିଠି । ଜୁନ୍ ୨୫ରେ ଦେଶବ୍ୟାପୀ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ। ଏମର୍ଜେନ୍ସି ଲାଗୁକୁ ୫୦ ବର୍ଷ ପୂର୍ତ୍ତି ଅବସରରେ କରାଯିବ ସଚେତନ।
ସମ୍ବିଧାନର ସୁରକ୍ଷା ଓ ଅଧିକାର ନେଇ ହେବ ଆଲୋଚନା। ସମସ୍ତ ଶିକ୍ଷାନୁଷ୍ଠାନରେ ଆୟୋଜିତ ହେବ ସଚେତନ କାର୍ଯ୍ୟକ୍ରମ।

ଆସନ୍ତା ଜୁନ ୨୫ ତାରିଖରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ । ଭୁବନେଶ୍ବର ରେଳ ଅଡିଟୋରିଅମରେ ଆୟୋଜନ ହେବ ଏହି କାର୍ଯ୍ୟକ୍ରମ । ଜରୁରୀକାଳୀନ ପରିସ୍ଥିତର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ କରାଯିବ ସମ୍ମାନିତ । ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ ପାଳନ ପାଇଁ ଆଜି ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ସମ୍ବିଧାନ ହତ୍ୟା ଦିବସ:
୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଭୁବନେଶ୍ବର ରେଳ ଅଡିଟୋରିଅମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶାର ସମସ୍ତ ଜିଲ୍ଲାରୁ ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଜରୁରୀକାଳୀନ ପରିସ୍ଥିତିର ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଉତ୍ସବର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପ୍ରଦର୍ଶନୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନର ମଧ୍ୟ ଦାୟିତ୍ବ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା, କୁଇଜ, ପ୍ରବନ୍ଧ ଓ କଳା ପ୍ରତିଯୋଗିତା କରାଯିବ । ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ କର୍ମଶାଳା, ବକ୍ତୃତା ଓ ସେମିନାର ଆୟୋଜନ କରାଯିବ । ଏହି ଉପଲକ୍ଷେ କ୍ରୀଡା ବିଭାଗ ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରାଯିବ । ସ୍ବତନ୍ତ୍ରତା ସେନାନୀ ମାନଙ୍କୁ ସମ୍ମାନିତ କରିବା ଉପଲକ୍ଷେ ଆୟୋଜନ ହେଉଥିବା ଏଭଳି ଏକ ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଆଲୋଚନାରେ ଭାଗ ନେଇଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର, ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ସ୍ବତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications