କଂଗ୍ରେସ ବାଛିଲା ଛାତ୍ର ସଭାପତି; ଉଦିତ୍ ନାରାୟଣ ପ୍ରଧାନ ଓଡ଼ିଶା ଛାତ୍ର କଂଗ୍ରେସର ନୂଆ ସଭାପତି
ଛାତ୍ର ସଭାପତି ବାଛିଲା କଂଗ୍ରେସ । ଓଡିଶା ସମେତ ୯ଟି ରାଜ୍ୟ ପାଇଁ ଛାତ୍ର ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । ଉଦିତ୍ ନାରାୟଣ ପ୍ରଧାନଙ୍କୁ ଓଡିଶା ଛାତ୍ର କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି । ଯେଉଁ ପଦରେ ପୂର୍ବରୁ ୟାସିର୍ ନଓ୍ୱାଜ ରହିଥିଲେ । ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଓଡିଶାର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଆଉ ଏହାପରେ ପ୍ରଥମ ଥର ପାଇଁ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି ।
ସୂଚନାଯୋଗ୍ୟ ଯେ, ପିସିସି ଭାଙ୍ଗିବା ପରେ ଏପର୍ଯ୍ୟନ୍ତ କେଉଁ ନେତା ଓଡିଶାରେ କଂଗ୍ରେସର କମାଣ ସମ୍ଭାଳିବେ ତାହା ଆଜି ପର୍ଯ୍ୟନ୍ତ ସ୍ଥିର ହେଇପାରିନି । ଦିଲ୍ଲୀରେ ଏନେଇ ମାନସମନ୍ଥନ ଚାଲିଥିବାବେଳେ, ନେତାମାନେ ମଧ୍ୟ ନିଜ ନିଜର ଲବି ଚଲାଇଛନ୍ତି । ହେଲେ ଏହାରି ଭିତରେ ଛାତ୍ର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା ହେଇଛି । ଆଉ କୁହାଯାଉଛି ଯେ, ଖୁବଶୀଘ୍ର ପ୍ରଦେଶ ସଭାପତିଙ୍କ ନାମ ମଧ୍ୟ ଘୋଷଣା ହେଇପାରେ ।

ସୂଚନା ଅନୁଯାୟୀ, ବିହାର ପାଇଁ ଜୟଶଙ୍କର ପ୍ରସାଦଙ୍କୁ ଛାତ୍ର କଂଗ୍ରେସ ସଭାପତିର ଗୁରୁଦାୟିତ୍ଵ ମିଳିଥିବା ବେଳେ ଚଣ୍ଡୀଗଡ଼ ପାଇଁ ସିକନ୍ଦର ବୁରା ଓ ଦିଲ୍ଲୀ ପାଇଁ ଆଶିଷ ଲାମ୍ବାଙ୍କୁ ଏହି ଦାୟିତ୍ଵ ମିଳିଛି । ସେହିପରି ହିମାଚଳ ପ୍ରଦେଶ ପାଇଁ ଅଭିନନ୍ଦନ ଠାକୁର, ଝାଡ଼ଖଣ୍ଡ ପାଇଁ ବିନୟ ଓରାନ, ମଣିପୁର ପାଇଁ ଜୟସନ କେଏଚ, ଓଡ଼ିଶା ପାଇଁ ଉଦିତ ନାରାୟଣ ପ୍ରଧାନ, ତେଲେଙ୍ଗାନା ପାଇଁ ୟାଦଭାଲି ଭେଙ୍କେଟ ସ୍ୱାମୀ ଓ ପଶ୍ଚିମବଙ୍ଗ ପାଇଁ ପ୍ରିୟଙ୍କା ଚୌଧୁରୀଙ୍କୁ ଛାତ୍ର କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି












Click it and Unblock the Notifications