ପ୍ରଦେଶ କଂଗ୍ରେସରେ ପୁଣି କନ୍ଦଳ, ମୋକିମ-ତାରା ମୁହାଁମୁହିଁ
ପ୍ରଦେଶ କଂଗ୍ରେସରେ ପୁଣି କନ୍ଦଳ, ମୋକିମ-ତାରା ମୁହାଁମୁହିଁ
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସରେ ପୁଣି କନ୍ଦଳ ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଛନ୍ତି ଦୁଇ ବରୀଷ୍ଠ କଂଗ୍ରେସ ନେତା । ରାଷ୍ଟ୍ରପତି ନିର୍ବାଚନରେ କଟକ ବାରବାଟୀର ବିଧାୟକ ମହମ୍ମଦ ମୋକିମ ଦଳ ନିର୍ଦ୍ଦେଶକୁ ବେଖାତିର କରି ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଯାହା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ଯାହାକୁ ନେଇ ଆଜି ରାଜ୍ୟ କଂଗ୍ରେସର ମାହୋଲ ସରଗରମ ।

ବିଧାୟକ ମହମ୍ମଦ ମୋକିମ କହିଛନ୍ତି 'ରାଷ୍ଟ୍ରପତି ନିର୍ବାଚନରେ ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ ପରେ ମୋତେ ଦଳ ପକ୍ଷରୁ ସୋ କଜ୍ ନୋଟିସ ହୋଇଥିଲା । ମୁଁ ତାହାର ଉତ୍ତର ରଖିଛି । ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ସୋ କଜ୍ ର ଉତ୍ତର ନେଇ କୌଣସି ଚିଠି ଆସି ନାହିଁ ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ ଭବନକୁ ଯିବିନାହିଁ । କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବିନି । କେବଳ କଟକ ନିଜ ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ରହିବି' । ବିଧାୟକ ଏହା ମଧ୍ୟ କହିଛନ୍ତି ଯେ 'କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି । ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଉଛି । ଯୁବକ ମାନଙ୍କୁ ଅଗ୍ରାଧିକାର ମିଳୁନାହିଁ ସେଥି ପାଇଁ ଯୁବ କର୍ମୀ ଦଳ ଛାଡୁଛନ୍ତି' ।
ସେପଟେ ମୋକିମଙ୍କ ବୟାନକୁ ଟାର୍ଗେଟ୍ କରି ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି 'ଯବାବ ମିଳିବାଟା ବଡ଼ କଥା ନୁହେଁ, ଦଳ ତାଙ୍କୁ ବହୁତ କିଛି ଦେଇଛି । ମୁଁ ଚାରି ଥର ବିଧାୟକ ହୋଇଛି, ଅନେକ ଥର ମୋତେ ଅଣଦେଖା କରାଯାଇଛି ହେଲେ ଦଳ ଆଦର ମଧ୍ୟ ଦେଇଛି । ମହମ୍ମଦ ମୋକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ହେଉଛନ୍ତି । । କଂଗ୍ରେସ ପାଇଁ ସବୁ କିଛି ପାଇଛନ୍ତି । ଦଳକୁ ଆଗ ଦେଖନ୍ତୁ । ଯେଉଁମାନଙ୍କର ମନ ଉଣା ରହିଛି । ସେମାନଙ୍କ ପାଇଁ ବାଟ ବନ୍ଦ ହୋଇନାହିଁ । ବାଟ ରହିଛି । ସେ ବିଷୟରେ ଚିନ୍ତା କରାଯାଉଛି' ।












Click it and Unblock the Notifications