ଅଡୁଆରେ ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ; ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ, ସାମିଲ୍ ଅଛନ୍ତି ...
ଭୁବନେଶ୍ୱର: ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ । ଘରୋଇ ସହାୟିକାଙ୍କୁ ରିୟା ଓ ତାଙ୍କ ସ୍ବାମୀ ସୁନୀଲ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ।
ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ବର୍ଷା ସୋମବାର ଭୁବନେଶ୍ୱର ଚାଲିଆସିଥିଲେ। ବର୍ଷା କଟକରୁ ବସ୍ରେ ଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀ ମାଧୁରୀଙ୍କ ଘରକୁ ଯାଇଥିଲେ । ହେଲେ ମାଧୁରୀ ଘରେ ନ ଥିବାରୁ ବର୍ଷା ରାସ୍ତାରେ କାନ୍ଦୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ବର୍ଷାଙ୍କୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍କୁ ହସ୍ତାନ୍ତର କରିଥିଲେ।
ମାଧୁରୀ ମଙ୍ଗଳବାର ପହଞ୍ଚିବା ପରେ ଶିଶୁ ସୁରକ୍ଷା ଟିମ୍ ସହ ବର୍ଷାଙ୍କୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ରିୟା ତାଙ୍କୁ ଘର କାମ ସହ ଅନ୍ୟାନ୍ୟ କାମ କରାଉଥିଲେ। ରିୟା ତାଙ୍କୁ ୮ହଜାର ଟଙ୍କା ସହ ଭରଣପୋଷଣ ଦେବାପାଇଁ ଚୁକ୍ତି କରିଥିଲେ। ହେଲେ କିଛିଦିନ ତଳେ ବର୍ଷା ତାଙ୍କ ପୈତୃକ ଘରକୁ ଯିବାକୁ କହିବାରୁ ରିୟା ବାରଣ କରିଥିଲେ। ଏପରିକି ରିୟା ତାଙ୍କୁ ମାଡ଼ମାରି ଘରେ ବନ୍ଦ କରିଦେଇଥିଲେ।
ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍ବସ୍ କରାଉଥିଲେ। ସ୍ବାମୀ ସୁନୀଲ ତାଙ୍କ ଉପରକୁ ମଦ ବୋତଲ ଫୋପାଡୁଥିଲେ। ନିର୍ଯାତନାରେ ବର୍ଷା ଆହତ ହୋଇଥିବା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ନେଇ ରିୟା କିମ୍ବା ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।












Click it and Unblock the Notifications