ଛିଡ଼ୁନି ମୁଖ୍ୟମନ୍ତ୍ରୀ ଅଙ୍କ ! ଏବେ ବି ସସପେନ୍ସରେ ଅନେକ ନେତା, ଚର୍ଚ୍ଚା ବଢାଉଛି ଜାତୀୟ ଗଣମାଧ୍ୟମ
Odisha CM Race: ରାଜ୍ୟରେ ସରିଛି ବିଧାନସଭା ନିର୍ବାଚନ । ବିଜେପି ବହୁମତ ପାଇବା ସହ ରାଜ୍ୟରେ ସରକାର ଗଠନ ଲାଗି ମଧ୍ୟ ପ୍ରସ୍ତୁତ ହୋଇଛି । ଆସନ୍ତା 12 ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହେବା ସହ ପ୍ରସ୍ତୁତି କରାଯାଉଛି । ଏହି ସବୁ ମଧ୍ୟରେ ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ସସପେନ୍ସ । ବିଜେପି ବିଧାୟକ ଦଳର ନେତା କିଏ ହେବେ, କାହାକୁ ମିଳିବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ? ରାଜ୍ୟରେ 25 ବର୍ଷର ସ୍ଥିର ସରକାରରେ ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ପଟ୍ଟନାୟକଙ୍କ ସ୍ଥାନ କିଏ ନେବେ ତା ଉପରେ ରହିଛି ସମସ୍ତଙ୍କ ନଜର ।
ଏହି ରେସ୍ରେ ଆଗରେ ରହିଛନ୍ତି ସୁରେଶ ପୂଜାରୀ, ମନମୋହନ ସାମଲ, ମୋହନ ମାଝି, କେ.ଭି ସିଂଦେଓ । ଏହାବାଦ୍ ଜାତୀୟ ଗଣାମଧ୍ୟମରେ ପ୍ରସାରିତ କିଛି ଖବର ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି । ଗିରିଶ ମୁର୍ମୁଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ତେବେ ସୋମବାର ସକାଳେ ଭାଜପା ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମୋହର ବାଜିବ ।

ଏଥି ମଧ୍ୟରେ ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ଵ ରହିଛି । ଉଭୟେ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଯୋଗ ଦେବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ହେବ ଏବଂ ନାଆଁ ଘୋଷଣା କରାଯିବ । ଏଣୁ ସେ ଯାଏଁ ଅପେକ୍ଷା କରନ୍ତୁ । ଏଣେ ସୁରେଶ ପୂଜାରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି ।












Click it and Unblock the Notifications