ଦୁଇଦିନିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ବହୁ ପ୍ରତୀକ୍ଷିତ ‘ଇ-ବସ୍' ସେବାର କରିବେ ଶୁଭାରମ୍ଭ
ଦୁଇଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ସେ ଜିଲ୍ଲାର ବିକାଶ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ମାଆ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା'ଙ୍କ ଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ପ୍ରଥମେ ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ଏବଂ ସେଠାରୁ ସଡ଼କ ପଥରେ ସମ୍ବଲପୁର ଅଭିମୁଖେ ବାହାରିବେ । ଆଜି ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଏହାପରେ ମହାନଦୀ ସମ୍ମୁଖରୁ ସମ୍ବଲପୁରବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ 'ଇ-ବସ୍' ସେବାର ଶୁଭାରମ୍ଭ କରିବେ । ଏହି ସେବା ସହରର ପରିବହନ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ।

ଅପରାହ୍ନ ୨ଟା ୪୫ରୁ ୪ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ବୁର୍ଲା ପିଏମ୍ଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପ, ନୂତନ ଟ୍ରମା କେୟାର ବିଲଡିଂ, ପରିବେଶ ଅନୁକୂଳ ଇ-ବସ୍ ସେବା ଓ ଅନ୍ୟାନ୍ୟ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପଗୁଡ଼ିକ ସମ୍ବଲପୁରବାସୀଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାର ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ସମ୍ବଲପୁରକୁ ଭିତ୍ତିଭୂମି ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସରକାର ସଂକଳ୍ପବଦ୍ଧ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଜମାଦାରପାଲି ଟିପୁପଡ଼ା ନିକଟରେ ସମ୍ବଲପୁର ସହର ପାଇଁ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ସକାଳ ୧୧ଟା ୫୦ ମିନିଟରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ 'ଟ୍ରମା କେୟାର' କୋଠାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ବଲପୁରର ପରିବହନ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।












Click it and Unblock the Notifications