CM Mohan Majhi: ପ୍ରଥମ ମାସରେ ମୋହନ ସରକାର; କଣ ଉପଲବ୍ଧି ହାସଲ କରିଛି ନୂଆ ସରକାର ?
୧୨ ଜୁନ ବୁଧବାର। ଗତ ମାସ ୧୨ ତାରିଖରେ ଶପଥ ନେଇଥିଲେ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜକୁ ମାସେ ତଳୁ ଆରମ୍ଭ ହୋଇଥିଲା ମୋହନ ସରକାର । ୨୪ ବର୍ଷ ପରେ କଡ ଲେଉଟାଇଲା ଓଡିଶା ରାଜନୀତି । ଅଢେଇ ଦଶନ୍ଧି ପରେ ରାଜ୍ୟରେ ଗଠନ ହେଲା ବିଜେପି ସରକାର ।
ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର। ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମଙ୍ଗ ସମ୍ଭାଳିଥିଲେ ମୋହନ ଚରଣ ମାଝି। ଆଉ ଏହି ନୂଆ ସରକାରକୁ ଦେଖୁ ଦେଖୁ ମାସେ ପୂରି ଗଲାଣି। ଅନେକ ଆଶା ଆକାଂକ୍ଷା ଭିତରେ ଏଇ ମାସକ ଭିତରେ ଅନେକ ବଡ଼ ଉପଲବ୍ଧି ହାସଲ କରିଛି ମୋହନଙ୍କ ସରକାର।
ଓଡିଆ ଅସ୍ମିତା, ଓଡିଆ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ରାଜ୍ୟ ଶାସନରେ ଏଣ୍ଟ୍ରି ମାରିଥିଲା ବିଜେପି । ତେବେ ଆସନ୍ତୁ ଦେଖିବା ପ୍ରଥମ ମାସରେ କେତେ ଉପଲବ୍ଧି ହାସଲ କରିଛି ମୋହନ ସରକାର । ଆଉ କଣ କଣ ବଡ ଚ୍ୟାଲେଞ୍ଜ ।
ଠିକ୍ ଆଜକୁ ପୁରୁଛି ମୋହନ ସରକାରର ପ୍ରଥମ ମାସ । ପ୍ରଥମ ମାସ ରିପୋର୍ଟ କାର୍ଡରେ ମୋହନ ସରକାର କେତେକାଂଶରେ ବିବାଦୀୟ ହୋଇଥିବା ବେଳେ ଅନେକାଂଶରେ ସଫଳତା ଲାଭ କରିଛି । ପ୍ରଥମ କ୍ୟାବିନେଟରେ ୪ଟି ବଡ ନିଷ୍ପତ୍ତି ନେଇ ଓଡିଆ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଥିବା ମୋହନ ସରକାର କିନ୍ତୁ ପ୍ରଥମ ମାସରେ ବିବାଦର ସାମ୍ନା କରିଛି । ସେହିପରି ରଥଯାତ୍ରାରେ ବିଭ୍ରାଟ ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ ଯୋଜନା ପ୍ରସଙ୍ଗ, ବିଏସକେଓ୍ବା ସ୍ବାସ୍ଥ୍ୟ କାର୍ଡରେ ଦ୍ବନ୍ଦ୍ବ ଇତ୍ୟାଦି ।

ତେବେ ଦେଖନ୍ତୁ ପ୍ରଥମ ମାସର ରିପୋର୍ଟ କାର୍ଡ-
ଖୋଲିଲା ଚାରି ଦୁଆର, ହଟିଲା ବ୍ୟାରିକେଡ
ନିର୍ବାଚନୀ ମୁଦ୍ଦା କରିଥିବା ପ୍ରସଙ୍ଗକୁ ସରକାରକୁ ଆସୁ ଆସୁ ପ୍ରାଧାନ୍ୟ ଦେଇଥିଲା ବିଜେପି ସରକାର । ଯାହ କହିଥିଲେ ସେୟା କଲେ । କୋଭିଡ ପରଠୁ ବନ୍ଦ ଥିବା ଶ୍ରୀମନ୍ଦିର ୪ ଦୁଆର ଖୋଲିବା ସହିତ ବଡଦାଣ୍ଡରୁ ବ୍ୟାରିକେଡ ହଟାଇଥିଲେ । ପ୍ରଥମ କ୍ୟାବିନେଟ ମିଟିଂରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ପାରିତ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ପୁରା ମନ୍ତ୍ରୀମଣ୍ଡଳ ସାମିଲ ରହି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଚାରି ଦୁଆର ଖୋଲିଥିଲେ ।
ବନ୍ଦ କଲେନି ମିଶନ ଶକ୍ତି
ଲୋକଙ୍କ ମନରେ ଆଶଙ୍କା ଥିଲା ବିଜେପି ଆସିଲେ ମହିଳାଙ୍କ ସଶକ୍ତିକରଣ ପାଇଁ ଚାଲିଥିବା ମିଶନ ଶକ୍ତି ଯୋଜନା ବନ୍ଦ କରିଦେବେ । କିନ୍ତୁ ଏହି ଆଶଙ୍କାକୁ ଅମୂଳକ ପ୍ରମାଣିତ କରି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କଲେ, ମିଶନ ଶକ୍ତି ପୂର୍ବବତ୍ ଚାଲୁ ରହିବ। ବରଂ ୨୦୦୧ ମାର୍ଚ୍ଚ ୮ରେ ଆରମ୍ଭ ହୋଇଥିବା ଏହି ମହିଳା ସ୍ୱାବଲମ୍ବୀ ଯୋଜନାକୁ ଅଧିକ ଶକ୍ତିଶାଳୀ କରିବାକୁ ସରକାର ଘୋଷଣା କଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ
ବିଜେପି ସରକାର କ୍ଷମତାକୁ ଆସିବା ପରେ ପରେ ହିଁ ହଠାତ୍ ଅପପ୍ରଚାର ଆରମ୍ଭ ହୋଇଗଲା, ନବୀନ ସରକାର ଅମଳରେ ଚାଲିଥିବା ବି.ଏସ୍.କେ.ୱାଇ (BSKY) କାର୍ଡ ବନ୍ଦ ହୋଇଯିବ, ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ହିତାଧିକାରୀଙ୍କ ଭିତରେ ଆତଙ୍କ ଖେଳିଗଲା। ବିଭ୍ରାନ୍ତିକର ବିଜ୍ଞାପନ, ଗଣମାଧ୍ୟମ ଖବର, ସୋସିଆଲ ମିଡିଆ ପୋଷ୍ଟିଂ ନିଆଁକୁ ଘିଅ ଯୋଗାଇଲା। ସ୍ଥିତିକୁ ଦେଖି ଶେଷରେ ସରକାର କହିଲେ, ବି.ଏସ୍.କେ.ୱାଇ. କାର୍ଡ ଚାଲୁ ରହିବ। ଏବେ ବନ୍ଦ ହେବାର ନାହିଁ।
ଚାଷୀଙ୍କ ଧାନ ଏମଏସପି ବୃଦ୍ଧି- ଚାଷୀଙ୍କୁ ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ୩୧୦୦ ଟଙ୍କାକୁ କ୍ୱିଣ୍ଟାଲ ପିଛା ବୃଦ୍ଧି କରିବାକୁ ନିର୍ବାଚନୀ ଘୋଷଣାରେ କହିଥିଲା ବିଜେପି । ଆଉ ସରକାରକୁ ଆସୁ ଆସୁ ଏହାକୁ ଲାଗୁ କରିବାକୁ ମଧ୍ୟ ପ୍ରଥମ କ୍ୟାବିନେଟ ମିଟିଂରେ ପାରିତ ହୋଇଥିଲା । କେନ୍ଦ୍ର ନିକଟରେ ଧାନର ସର୍ବନିମ୍ନ ମୂଲ୍ୟ ବା ଏମଏସପିକୁ ୨୩୦୦ ଟଙ୍କାକୁ ବୃଦ୍ଧି କରଥିବା ବେଳେ ରାଜ୍ୟ ବିଜେପି ଏହାକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବ ବୋଲି ପ୍ରତିଶୃତି ଦେଇଛି ।
ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ- ଦୀର୍ଘ ୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ପୂର୍ବ ସରକାରରେ ବନ୍ଦ ଥିଲା ଏହି ବ୍ୟବସ୍ଥା । ତେବେ ନୂଆ ସରକାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଗୁହାରୀ ଶୁଣିଛନ୍ତି । ଏହାକୁ ରାଜ୍ୟବ୍ୟାପୀ ପ୍ରଶଂସା କରାଯାଇଛି । ଜନତା ଦରବାରରେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।
ରତ୍ନ ଭଣ୍ଡାର ପ୍ରସଙ୍ଗ- ରତ୍ନ ଭଣ୍ଡାର ପ୍ରସଙ୍ଗ ବର୍ତ୍ତମାନ ପାଇଁ ରାଜ୍ୟର ସବୁଠୁ ଚର୍ଚ୍ଚିତ ବିଷୟ । ବିଜେପି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ମୁଦ୍ଦା କରିଥିଲା ନିର୍ବାଚନ ସମୟରେ । ଆଉ ନୂଆ ସରକାର ଆସିବା ପରେ ଏହାକୁ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମେ ଏଥିପାଇଁ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧକ୍ଷତାରେ କମିଟି ଗଠନ । ପରେ କମିଟିର ଦୁଇ ଦୁଇ ଥର ବୈଠକ । ଆଉ ଶେଷରେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ସରକାରକୁ କମିଟି ସୁପାରିଶ କରିଥିଲା । ସରକାର ସୁପାରିଶକୁ ଗ୍ରହଣ କରିବା ସହିତ ଏନେଇ ମନ୍ଦିର ପ୍ରଶାସନକୁ ଏସଓପି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଜଷ୍ଟିସ୍ ରଥ କହିଛନ୍ତି ଆମେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ସମସ୍ତ ଉଦ୍ୟମ କରିବୁ । ଚାବି ନମିଳିଲେ ମଧ୍ୟ ତାଲା ଭଙ୍ଗାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ ।
ଲକ୍ଷ୍ମୀ ବସ - ନିର୍ବାଚନ ପୂର୍ବରୁ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥେଲ ପୂର୍ବ ସରକାର । ପଞ୍ଚାୟତ ଓ ସଦର ମହକୁମାରୁ ପ୍ରତି ବ୍ଲକକୁ ଗଡିଲା ଲକ୍ଷ୍ମୀ ବସ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଯୋଜନା ଆରମ୍ଭ ହୋଇଥିଲା । ହେଲେ ନୂଆ ସରକାର ଆସିବ ପରେ ଏହି ଯୋଜନା ନେଇ ହୋ ହଲ୍ଲା ହୋଇଥିଲା । ପ୍ରଥମେ ଏହି ସବୁ ଅତ୍ୟାଧୁନିକ ବସ ପଡି ପଡି ଖତ ଖାଉଥିବା ଖବର ପ୍ରକାଶ ପାଇବା ପରେ ନୂଆ ସରକାର ଏହାକୁ ମୁଖ୍ୟମନ୍ତ୍ରୀ ବସ ଯୋଜନା କରିବା ସହିତ ଏହାର ରଙ୍ଗ ପରିବର୍ତ୍ତନ କରିଛନ୍ତି । ଆଉ ଏହି ସେବା ଜାରି ରହିବ ବୋଲି ସୂଚନା ରହିଛି ।












Click it and Unblock the Notifications