ସତର୍କ ଓ ସଚେତନତା ସହ କରୋନା ବିରୋଧରେ ଲଢେଇ କରିବାକୁ ପରାମର୍ଶ ଦେଲେ ନବୀନ
କରୋନା ସଂକ୍ରମଣ ପୁଣି ଫେରିବା ଭୟ ରହିଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସମସ୍ତଙ୍କ ସହଯୋଗରେ ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି
ଭୁବନେଶ୍ୱର: କରୋନା ସଂକ୍ରମଣ ପୁଣି ଫେରିବା ଭୟ ରହିଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସମସ୍ତଙ୍କ ସହଯୋଗରେ ରାଜ୍ୟରେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶା ଆଜି ଭଲ ସ୍ଥିତିରେ ରହିଛି । ଏଦିଗରେ ଆମେ ନେଇଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛନ୍ତି । ଆମର ଦୈନିକ ସଂକ୍ରମଣ ଏବେ ୧୦୦ ତଳେ ରହୁଛି । ହେଲେ ସଂକ୍ରମଣକୁ ଶୂନରେ ରଖିବା ଆମର ଲକ୍ଷ୍ୟ ।
କରୋନାକୁ ନିୟନ୍ତ୍ରିତ କରିବାରେ ରାଜ୍ୟ ସଫଳ ହୋଇଛି କିନ୍ତୁ ଆହୁରି ସତର୍କର ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଜିରୋ ଇନଫେକସନ ଆମର ଲକ୍ଷ୍ୟ ।

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ୍ ପୁଣି ଫେରିଛି । ଲକ୍ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍ଡାଉନ୍କୁ ଫେରିବାକୁ ଚାହୁଁ ନାହୁଁ । ଆଉ ଲକ୍ଡାଉନ୍କୁ ନ ଫେରିବାର ଗୋଟିଏମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍ଡାଉନ୍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ଼୍ ଗାଇଡ୍ଲାଇନ୍କୁ କଡ଼ା କଡ଼ି ଭାବରେ ପାଳନ କରି ଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବାହାରକୁ ଗଲେ ମାସ୍କ୍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍ରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।












Click it and Unblock the Notifications