ନବୀନଙ୍କ ଡାକରେ କମ୍ପିଲା ବାରବାଟୀ: ଆପଣମାନେ ଖୁସି ତ ? ଏତିକି ପରେ...
ବାରବାଟୀ ଷ୍ଟାଡିୟମ ହକି ବିଶ୍ୱକପ ଉଦଘାଟନୀ ସମାରୋହକୁ ଆସିଥିବା ସମସ୍ତ ଆଗନ୍ତୁକଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଛି FIH ଓଡିଶା ପୁରୁଷ ହକି ବିଶ୍ୱକପ ୨୦୨୩ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହକି ମହାକୁମ୍ଭର ଶୁଭାରମ୍ଭ ହୋଇଛି । ଏହି ଅବସରରେ ବାରବାଟୀ ଷ୍ଟାଡିୟମ ହକି ବିଶ୍ୱକପ ଉଦଘାଟନୀ ସମାରୋହକୁ ଆସିଥିବା ସମସ୍ତ ଆଗନ୍ତୁକଙ୍କୁ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମେ ଓଲିର ହାତ ଧରି ବିଶ୍ୱକପ ଉଦଘାଟନୀ ଉତ୍ସବର ବଡମଞ୍ଚକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିଭାଷଣ ଆରମ୍ଭରୁ ଦୁଇଥର ଉଚ୍ଚ ସ୍ୱରରେ କହିଥିଲେ ଜୟ ଜଗନ୍ନାଥ । ନବୀନ କହିଥିଲେ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ମୋର ନମସ୍କାର ଓ ନବବର୍ଷର ଅଭିନନ୍ଦନ ଜଣାଉଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଓ FIH ଚ୍ୟାୟାରମ୍ୟାନଙ୍କ ମଧ୍ୟ ସ୍ୱାଗତ ଜଣାଉଛି । ସେହିପରି ସମସ୍ତ ଖେଳାଳି ଓ ଅଫିସିଆଲ୍ସ ମାନଙ୍କୁ ମଧ୍ୟ ଓଡିଶାକୁ ସ୍ବାଗତ । ଓଡିଶା ନିଜର ଆତିଥ୍ୟ ପାଇଁ ପରିଚିତ । ତେଣୁ ଆପଣମାନେ ମଧ୍ୟ ଏହାର ଲାଭ ଉଠାନ୍ତୁ । କେନ୍ଦ୍ର ସରକାରଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ହକି ବିଶ୍ୱକପ ପାଇଁ ସାହାଯ୍ୟର ହାତ ବଢାଇଥିବାରୁ ।
ଶେଷରେ କହିଲେ, ଓଡିଶାରେ ହକି ବିଶ୍ୱକପ୍ ହେଉଛି, ଆପଣମାନେ ଖୁସି ତ ? କଟକରେ ଉଦଘାଟନୀ ସମାରୋହ ହେଉଛି, ଆପଣମାନେ ଖୁସି ତ ? ଆଉ ନବୀନଙ୍କ ଏହି କଥା ଦୁଇ ପଦରେ କମ୍ପି ଉଠିଥିଲା ସମଗ୍ର ବାରବାଟୀ ଷ୍ଟାଡିୟମ । କରତାଳି ଓ ଲୋକମାନଙ୍କ ଚିତ୍କାରରେ ଫାଟି ପଡୁଥିଲା ପଡିଆ । ମୁଖ୍ୟମନ୍ତ୍ରୀଙ୍କ ନବୀନଙ୍କ ପ୍ରତି ଓଡିଶାବାସୀଙ୍କ ଭଲ ପାଇବା ପୁଣିଥରେ ବିଶ୍ୱ ଦରବାରରେ ପ୍ରମାଣିତ ହେଲା ।
ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ପ୍ରାୟତଃ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥିଲେ । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଥିଲା । ପ୍ରତି ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି । ଏଥି ସହିତ ଡିଡି ଓଡିଆ, ଡିଡି ସ୍ପୋର୍ଟ ଓ ଓଡିଶା ସ୍ପୋର୍ଟ ୟୁଟ୍ୟୁବ ଚ୍ୟାନେଲରେ କାର୍ଯକ୍ରମର ଲାଇଭ୍ ମଧ୍ୟ ପ୍ରାସାରଣ କରାଯାଉଥିଲା ।
ହଜାର ହଜାର ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ଆକର୍ଷଣ ସାଜିଥିଲେ ବଲିଉଡ୍ ଷ୍ଟାର ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପାଟନୀ । ଦିଶାଙ୍କ ଠୁମକାରେ ମତୁଆଲା ହେଲେ ଦର୍ଶକ । ଏଥିସହିତ ସଂଗୀତ ନିର୍ଦ୍ଦେଶକ ପ୍ରୀତମ ଓ ତାଙ୍କ ବ୍ୟାଣ୍ଡର ମଧୁର ଗୀତର ତାଳେତାଳେ ଝୁମିଲେ ଦର୍ଶକ । ସେହିପରି ବ୍ଲାକ ସ୍ୱାନ୍ ଗ୍ରୁପ୍ ଯୁବପିଢିଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା ।
ଅନ୍ୟପଟେ ଓଲିଉଡ୍ ଷ୍ଟାର୍ କପଲ୍ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ପରଫର୍ମାନ୍ସକୁ ମଧ୍ୟ ଉପଭୋଗ କରିଛନ୍ତି ଦର୍ଶକ। ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ସ୍ମିତି ମିଶ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ରାପର ବିଗ୍ ଡିଲ୍, ରିତୁରାଜ ମହାନ୍ତିଙ୍କ ଗୀତ ସମସ୍ତଙ୍କ ମନ ମୋହିଥିଲା ।
ଉଲ୍ଲେଖଥାଉ କି, ବିଶ୍ୱକପ୍ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ । କ୍ରମାଗତ ଦ୍ୱିତୀୟ ଥର ହକି ବିଶ୍ୱକପର ଆୟୋଜନ କରି ଏକ ବିରଳ ରେକର୍ଡ କରିଛି ଓଡିଶା ।












Click it and Unblock the Notifications