ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ ଅସୁସ୍ଥ: କହିଲେ, ଥରୁଟେ ହେଲେ ଦେଖା କରିବାକୁ ଆସି ନାହାନ୍ତି ନବୀନ
କଟକ: ମୁଖ୍ୟମନ୍ତ୍ରୀଙ୍କ ସାନ ଭାଇ ଦିଲ୍ଲୀପ ପଟ୍ଟନାୟକ ଅସୁସ୍ଥ । ସେ ଅସୁସ୍ଥ ଥିବା ଜାଣି ତାଙ୍କୁ ଆନନ୍ଦ ଭବନରେ ପହଞ୍ଚି ଭେଟିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ।
ଦିଲ୍ଲୀପ ପଟ୍ଟନାୟକ କିଏ ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡବାପା ତଥା ବିଜୁ ପଟ୍ଟନାୟକଙ୍କ ବଡ଼ ଭାଇ ହେଉଛନ୍ତି ଜର୍ଜ ପଟ୍ଟନାୟକ । ଆଉ ଜର୍ଜ ପଟ୍ଟନାୟକ ସାନ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ତେବେ ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ । ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି । ଆପଣମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ କଥା ଜାଣିଥିବେ, ଯାହା ଏବେ ସଂଗ୍ରହାଳୟ ପାଲଟିଛି। ହେଲେ ସେହି ଆନନ୍ଦ ଭବନ ପାଖରେ ଆଉ ଗୋଟିଏ ଆନନ୍ଦ ଭବନ ମଧ୍ୟ ଅଛି । ସେଇଟି ହେଉଛି ବିଜୁ ବାବୁଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ ।

କେମିତି ଅଛନ୍ତି ଦିଲ୍ଲୀପ ?
ଏବେ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲୀପ ଓ ଝିଅ ରେଖା ରହୁଛନ୍ତି । ଉଭୟ ଶାରୀରିକ ଭାବେ ଅସୁସ୍ଥ । ଦିଲୀପ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି । ଏକ ଦୁର୍ଘଟଣାର ଶିକାର ପରେ ଆଉ ଭଲ ଭାବେ ଚାଲି ପାରୁନାହାନ୍ତି । ଦୀର୍ଘ ଦିନ ଧରି ଦିଲ୍ଲୀପ ପଟ୍ଟନାୟକ ଅସୁସ୍ଥ ରହିଛନ୍ତି । କିନ୍ତୁ କେବେ ବି ମୁଖ୍ୟମନ୍ତ୍ରୀ ଭଲ ମନ୍ଦ ବୁଝିନଥିବା ସେ କହିଛନ୍ତି ।
୧୯୪୭ ମସିହାରେ ସେ ଜନ୍ମ ଗ୍ରହଣ କରିଥିବା ବେଳେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସେ ପାଠ ପଢିଥିଲେ । ଏହାପରେ ସେ ଏକ ସ୍ପଞ୍ଜ କମ୍ପାନିରେ ଚାକିରି କରୁଥିଲେ । ୨୫ ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିବା ବେଳେ ଏ ପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି । ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରୁ ତାଙ୍କ ଉପରେ ନଜର ପଡୁ ଓ ତାଙ୍କୁ ସମସ୍ତେ ସହଯୋଗର ହାତ ବଢାନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି ।
ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ
ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ସଂଗ୍ରହାଳୟ ପାଲଟି ଯାଇଥିବା ବେଳେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢ଼ିଥିବା ଆନନ୍ଦ ଭବନଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି । ଘର ଭାଙ୍ଗିରୁଜି ଗଲାଣି । ଘର ଆଗରେ ଆଣ୍ଠୁଏ ବହଳର ଘାସ ଓ ଅନାବନା ଗଛ ଭରି ଯାଇଛି। ଆଉ ଏହି ଘରେ ରହୁଛନ୍ତି ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକ ।
ନବୀନଙ୍କ ସମ୍ପର୍କରେ କଣ କହିଲେ ଦିଲୀପ ?
ଦିଲ୍ଲୀପ କହିଛନ୍ତି, ତାଙ୍କ ଭଉଣୀ ରେଖା ପରିବାରେ ସବୁଠାରୁ ବଡ଼। ପୂର୍ବରୁ ଆନନ୍ଦ ଭବନରେ ଆମ ସବୁ ମିଶିକି ରହୁଥିଲେ । ଏଠାରେ ନବୀନ, ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭଉଣୀ ଗୀତା ପଟ୍ଟନାୟକଙ୍କ ପିଲା ଦିନ କଟିଛି । ଦିଲ୍ଲୀପଙ୍କ ପିଲାବେଳ ନବୀନଙ୍କ ସଙ୍ଗେ ଖେଳକୁଦରେ କଟିଛି । ହେଲେ ବର୍ତ୍ତମାନ ତାଙ୍କର ଏଭଳି ଅବସ୍ଥାରେ ପାଖରେ କେହି ନାହାନ୍ତି ।
ନବୀନଙ୍କ ସମ୍ପର୍କରେ ଦିଲୀପ କହିଛନ୍ତି, ସେ ଓଡ଼ିଶା ପାଇଁ ଅନେକ କାମ କରୁଛନ୍ତି । ହେଲେ ତାଙ୍କ ଦାଦା ବିଜୁ ପଟ୍ଟନାୟକ ଯେମିତି ବିକାଶ କରିଥିଲେ ସେଭଳି ବିକାଶ ଆଉ ଓଡ଼ିଶାରେ ହେଉନାହିଁ । ବିଜୁ ବାବୁ ସମସ୍ତଙ୍କ ସହିତ ସଂପର୍କ ରଖିଥିଲେ । କିନ୍ତୁ ନବୀନ ବାବୁଙ୍କର କାହା ସହିତ ସମ୍ପର୍କ ନାହିଁ । ମୁଁ ୟା ଭିତରେ ଦୁଇ ଥର ଅପରେସନ ହୋଇ ସାରିଲିଣି । କିନ୍ତୁ ଦିନେ ହେଲେ ବି ସେ ଭଲମନ୍ଦ ପଚାରି ନାହାନ୍ତି ।
ଦିଲ୍ଲୀପଙ୍କୁ ଭେଟିଲେ ମହମ୍ମଦ ମୋକିମ
ସେପଟେ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି । ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି । ତେବେ ଆନନ୍ଦ ଭବନରେ ଏପରି ଦୃଶ୍ୟକୁ ସହଜରେ ଗ୍ରହଣ କରିବା କଷ୍ଟ । କାହିଁକି ନା ଆନନ୍ଦ ଭବନରେ ବିଷାଦର ଛାଇ ଯେପରି ଦୁଃଖର ମେଘମାଳ ପରି ଦଣ୍ଡାୟମାନ ।












Click it and Unblock the Notifications